ବାପା ଇଞ୍ଜିନିୟର, ପୁଅ କଣ୍ଟ୍ରାକ୍ଟର: ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଘରେ ଭିଜିଲାନ୍ସ ରେଡ

315

କନକ ବ୍ୟୁରୋ: ଆଲିଶାନ ବଙ୍ଗଳା, ଘରେ ନାମୀ ଦାମୀ ଘଟାଂ ଓ ରୂପା ଗ୍ଲାସ । ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଏଭଳି ଦାମୀ ସାମଗ୍ରୀ ଦେଖି ତାଜୁବ ହୋଇଛି ଭିଜିଲାନ୍ସ ଟିମ । ଆୟବର୍ହିଭୂତ ସମ୍ପତି ଠୁଳ ନେଇ ମୟୂରଭଞ୍ଜ ଉଦଳା ସବଡିଭିଜନର ଆରଡବ୍ଲୁଏସ ଭାବେ କାର୍ଯ୍ୟରତ ରବିନାରାୟଣ ପଣ୍ଡାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ମୟୁରଭଞ୍ଜ ଅଫିସ, ଯନ୍ତ୍ରୀଙ୍କ ଭୁବନେଶ୍ୱର ଘର ଓ ପୁଅ-ବୋହୂଙ୍କ ଘର ସମେତ ଏକାକାଳୀନ ୮ଟି ସ୍ଥାନରେ ଏହି ଚଢାଉ ହୋଇଛି । ଚଢାଉ ବେଳେ ଜଣାପଡିଛି ଆଲିଶାନ ବଙ୍ଗଳାରେ ରହୁଥିଲେ ରବିନାରାୟଣ ପଣ୍ଡା । ଏହି ଦୃଶ୍ୟକୁ ଦେଖନ୍ତୁ ଭଳିକି ଭଳି ଘଂଟା ରହିଛି ଯନ୍ତ୍ରୀଙ୍କ ଘରେ ।

ଚଢାଉ ବେଳେ ନଗଦ ଟଙ୍କା ସହ ବିଭିନ୍ନ ରକମର ସୁନା ରୂପା ଅଳଙ୍କାର ବି ଜବତ ହୋଇଛି । ଭିଜିଲାନ୍ସ ଟିମ ଯନ୍ତ୍ରୀଙ୍କ ପୁଅ-ବୋହୂ ରହୁଥିବା ନୟାପଲ୍ଲୀ ଘରେ ବି ରେଡ କରିଥିଲେ । ଏହି ସମୟରେ ନଗଦ ୨୫ ଲକ୍ଷ ଟଙ୍କା ଜବତ କରାଯାଇଛି । ଏତେ ଟଙ୍କା କୁଆଡୁ ଆସିଲା ତାକୁ ନେଇ ଖୋଳତାଡ ଆରମ୍ଭ କରିଛି ଭିଜିଲାନ୍ସ । ତେବେ ରବିନାରାୟଣ ପଣ୍ଡାଙ୍କ ସମୁଦି ଜବତ ଟଙ୍କା ନେଇ ଭିନ୍ନ ସଫେଇ ଦେଇଛନ୍ତି । ସେ କହିଛନ୍ତି, ଏହି ଟଙ୍କା ତାଙ୍କର ଜଣେ ବନ୍ଧୁ ରଖିଥିଲେ । ଏହି ଟଙ୍କା ସହିତ ଯନ୍ତ୍ରୀଙ୍କ କୌଣସି ସଂପୃକ୍ତ ନାହାନ୍ତି ।

ରବିନାରାୟଣ ପଣ୍ଡାଙ୍କ ପୁଅ ଜଣେ ଠିକାଦାର ଭାବେ କାମ କରନ୍ତି । ଜଣେ ସହକାରୀ ଯନ୍ତ୍ରୀ ହୋଇ ଏତେ ଟଙ୍କା ଓ ଦାମୀ ସାମଗ୍ରୀ ଘରେ ରଖିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭିଜିଲାନ୍ସ ଖୋଳତାଡ ଜାରି ରଖିଛି ।