ଋଷିୟ ପର୍ଯ୍ୟଟକଙ୍କ ରହସ୍ୟଜନକ ମୃତ୍ୟୁ! ଖୋଳତାଡ କରୁଛି ରାୟଗଡା ପୁଲିସ

146

କନକ ବ୍ୟୁରୋ: ଦୁଇ ରୁଷ୍ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ରାୟଗଡାରେ ଚାଂଚଲ୍ୟ ଖେଳିଯାଇଛି । ଦୁଇ ଜଣ ବାଲ୍ୟବନ୍ଧୁ ଆଗ ପଛ ହୋଇ ୪୮ ଘଟାଂ ନପୁରୁଣୁ ଆର ପାରିକି ଚାଲିଯାଇଛନ୍ତି । ଆଉ ଏବେ ରୁଷ୍ ପର୍ଯ୍ୟଟକଙ୍କ ମୃତ୍ୟୁର କାରଣ ଖୋଜୁଛି ରାୟଗଡା ପୋଲିସ ।

ରାୟଗଡା ଜିଲ୍ଲାରେ ଦୁଇ ଜଣ ରୁଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ ଖବର ଚାଂଚଲ୍ୟ ଖେଳାଇ ଦେଇଛି । କିପରି ଓ କେଉଁ ପରିସ୍ଥିତିରେ ଦୁଇ ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ ହେଲା ତାକୁ ନେଇ ପୁଲିସ ଖୋଳତାଡ କରୁଛି ।

ଋୁଷର ଏହି ଦୁଇ ବାଲ୍ୟବନ୍ଧୁ ମାତ୍ର ୪୮ ଘଂଟାରେ ଆଗ ପଛ ହୋଇ ଆରପାରିକୁ ଚାଲିଯିବା ରହସ୍ୟ ବଢାଇ ଦେଇଛି । ବିଦାନାଭ ଓ ପାଭେଲ ସାଙ୍ଗ ହୋଇ ଦାରିଂବାଡି ବୁଲିବାକୁ ଆସିଥିଲେ । ଡିସେମ୍ବର ୨୧ରେ ସେମାନେ ଦାରିଂବାଡିରୁ ରାୟଗଡାକୁ ଆସିଥିଲେ । ହେଲେ କିଏ ଜାଣିଥିଲା ତାଙ୍କୁ କାଳରାତ୍ରୀ ଅପେକ୍ଷା କରିଛି । ୨୨ ତାରିଖ ରାତିରେ ସାଇ ଇଂଟରନେସନାଲ ହୋଟଲର ୨୦୩ ନଂବର ରୁମରେ ଶୋଇଥିବା ବେଳେ ଭ୍ଲାଦମିର ବିଦାନଭଙ୍କ ମୃତ୍ୟୁ ହୋଇଯାଇଥିଲା ।ଏହାପରେ ଭାଙ୍ଗିପଡିଥିଲେ ବାଲ୍ୟବନ୍ଧୁ ପାଭେଲ । ବିଦାନାଭଙ୍କ ଶେଷକୃତ୍ୟର ୪୮ ଘଂଟା ନପୁରୁଣୁ ସନ୍ଦେହ ଜନକ ଅବସ୍ଥାରେ ଅଚେତ ଅବସ୍ଥାରେ ହୋଟେଲ ପାଶ୍ୱର୍ ନିର୍ମାଣଧିନ କୋଠାରୁ ପାଭେଲ ଉଦ୍ଧାର ହୋଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ରୁଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ ଖବର ପାଇ ପୁଲିସ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପହଂଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତ ପରେ ପୁଲିସ ଏହାକୁ ଦୁର୍ଘଟଣା ଜନିତ ଅଘଟଣ ବୋଲି ଅନୁମାନ କରୁଛି । ପାଭେଲ ଓ ବିଦାନାଭ ପିଲାଟି ଦିନରୁ ବନ୍ଧୁ । ତେଣୁ ବିଦାନଭଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ପାଭେଲ ଆତ୍ମହତ୍ୟା କରିଥାଇପାରନ୍ତି । ବନ୍ଧୁଙ୍କ ମୃତ୍ୟୁ କଥା ଚିନ୍ତା କରି ଅସାବଧାନତା ବଶତଃ ଖସିପଡି ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ଦୁଇ ବିଦେଶୀ ପର୍ଯ୍ୟଟକ ୪୮ ଘଂଟାରେ ଭିତରେ ଆଅଗପଛ ହୋଇ ରହସ୍ୟଜନକ ଢଙ୍ଗରେ ମୃତ୍ୟୁ ହେବା ଘଟଣାକୁ ନେଇ ରାୟଗଡାରେ ବେଶ ଚର୍ଚ୍ଚା ହେଉଛି । ସେପଟେ ତଦନ୍ତ ପରେ ପ୍ରକୃତ ସତ ପଦାକୁ ଆସିବ ବୋଲି ପୁଲିସ କହୁଛି ।