ଘନେଇଲା ବାତ୍ୟା ଆଶଙ୍କା: ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର, ୮ ତାରିଖରେ ନେଇପାରେ ବାତ୍ୟାର ରୂପ

175

କନକ ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଂଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଉତର-ପଶ୍ଚିମ ଦିଗରେ ଗତି କରିବା ସହ ୭ ତାରିଖରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ଏବଂ ଏହା ପରେ ୮ ତାରିଖ ସୁଦ୍ଧା ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।

୮ ତାରିଖ ପରେ ପବନର ବେଗ ବଢ଼ିବ, ୧୦ ତାରିଖ ବେଳକୁ ୮୦ରୁ ୯୦ କିଲୋମିଟର ବେଗରେ ପବନ ହୋଇପାରେ । ଏପରିକି ଏହାର ଝଟକା ୧୦୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ପ୍ରାଥମିକ ଆକଳନ କରାଯାଉଛି ।

ମେ’ ୮ : ଘଂଟା ପ୍ରତି ୫୫-୬୫ କି.ମି. ବେଗରେ ପବନ, ଯାହାର ଝଟକା ୭୫ କି.ମି ପର୍ଯ୍ୟନ୍ତ ହୋଇପାରେ
ମେ’ ୯ : ଘଂଟା ପ୍ରତି ୬୫-୭୫ କି.ମି ବେଗରେ ପବନ, ଯାହାର ଝଟକା ୮୫ କି.ମି. ପର୍ଯ୍ୟନ୍ତ ହୋଇପାରେ
ମେ’ ୧୦: ଘଂଟା ପ୍ରତି ୮୦-୯୦ କି.ମି ବେଗରେ ପବନ, ଯାହାର ଝଟକା ୮୫ କି.ମି. ପର୍ଯ୍ୟନ୍ତ ହୋଇପାରେ

୧୦ ତାରିଖ ବେଳକୁ ଉତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ପାଖାପାଖି ପହଂଚିବାର ସମ୍ଭାବନା ରହିଛି । ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ୧୦ ତାରିଖ ପରେ ବାତ୍ୟା କେଉଁ ମୋଡ଼ ନେବ, ତାହା ଉପରେ ନିର୍ଭର କରେ କେଉଁଠି ମାଡ଼ ହେବ ବାତ୍ୟା । ତେବେ ଏବେ ଯେଉଁ ଆକଳନ ହେଉଛି, ଏହା ଓଡ଼ିଶା ଉପକୂଳ ଛୁଇଁପାରେ । ଏହି ସମୟରେ ବାତ୍ୟା ରିକର୍ଭ କରିବାର ମଧ୍ୟ ଆଶଙ୍କା ରହିଛି ।

ଏହି ସମୟରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ୪ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗଂଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ମତ୍ସଜୀବୀଙ୍କୁ ସମୁଦ୍ର ଯିବା ପାଇଁ ମନା କରାଯାଇଛି । ଏହି ସମୟ ମଧ୍ୟରେ ସମୁଦ୍ର ଭୀଷଣ ଆଶାନ୍ତ ହେବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ କୁହାଯାଇଛି ।