ଡରାଇଲାଣି ବାତ୍ୟା ଭୟ: ଧାନ, ମୁଗ ନଷ୍ଟ ହେବା ଆଶଙ୍କା, ଅମଳ କରିନେବାକୁ ଚାଷୀ ତରତର

174

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାର ପ୍ରକୋପ କେତେ ହେବ, କେଉଁଠି ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇନଥିଲେ ବି ଲୋକଙ୍କ ଭିତରେ ଛନକା ସୃଷ୍ଟି ହୋଇଛି । ବାତ୍ୟାର ପ୍ରକୋପ ଯାହା ବି ରହୁ କିନ୍ତୁ ଏହାର ପ୍ରଭାବରେ ଓଡିଶାର ଉପକୂଳବର୍ତି ଜିଲ୍ଲା ଗୁଡିକରେ ଯେ ବର୍ଷା ହେବ ଏକଥା ଏବେଠାରୁ ଡରାଇବାରେ ଲାଗିଲାଣି । ବାତ୍ୟା ଆଶଙ୍କାକୁ ଦେଖି ଚଷାପୁଅ ବିଲରେ ଅମଳ ଯୋଗ୍ୟ ଫସଲକୁ ତରତର ହୋଇ ଅମଳ କରିବାରେ ଲାଗିପଡିଛି ।

ଆଗକୁ ବାତ୍ୟା ଆସୁଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ଚାଷୀ ମୁଣ୍ଡରେ ଚଡକ ପଡିଛି । ବାତ୍ୟା ହେଲେ ଜମିରେ ଥିବା ମୁଗ ଓ ଧାନ ଫସଲ ନଷ୍ଟ ହୋଇଯିବାର ଭୟ ଏବେ ଚାଷୀକୁ ଘାରିଛି । ଆଉ ଏବେ ବାତ୍ୟା ଭୟରେ ଭଲ କରି ପାକଳ ହୋଇନଥିଲେ ବି କଂଚା ମୁଗକୁ ଅମଳ କରିବାରେ ଲାଗିପଡିଛନ୍ତି । .. ଏହେଉଛି କଟକ ନିଆଳି ଅଂଚଳର ଦୃଶ୍ୟ । ବର୍ଷା ଓ ବାତ୍ୟା ଭୟରେ କଂଚା ଧାନ ଓ ମୁଗ ଅମଳରେ ଲାଗିପଡିଛନ୍ତି ଚାଷୀ ପରିବାର ସମସ୍ତ ସଦସ୍ୟ ।

ଆଉ ଦିନ କେଇଟା ପରେ ଧାନ କାଟିଥାନ୍ତେ ଚାଷୀ । ହେଲେ, ସମ୍ଭାବ୍ୟ ବାତ୍ୟା ଧାନ ଚାଷ କରିଥିବା ଚାଷୀଙ୍କ ମୁଣ୍ଡରେ ଚଡକ ପକାଇ ଦେଇଛି । ଏ ହେଉଛି ବାଲେଶ୍ୱର ଭୋଗରାଇ ଅଂଚଳର ଦୃଶ୍ୟ । ବାତ୍ୟା ଓ ବର୍ଷା ଭୟରେ କଂଚା ଧାନକୁ କାଟି ନେଉଛନ୍ତି ଚାଷୀ । ଫସଲ ଅମଳ ପାଇଁ ଦିନ ରାତି ଏକ କରିଦେଇଛନ୍ତି ଚାଷୀ ପରିବାର ।

ଫନି ବାତ୍ୟାରେ ପିପିଲି ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବାରୁ ଆଉ ଏକ ବାତ୍ୟାରେ ନାଶୁଣି ଭୟଭୀତ ହୋଇପଡିଛନ୍ତି ପିପିଲି ଅଂଚଳର ଲୋକେ । ଫନିର ଦୁଃଖ ଯାଇନଥିବା ବେଳେ ଯଦି ଆଉ ଏକ ବାତ୍ୟା ଆସେ ତେବେ କଣ ହେବ ତାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ।

ବାତ୍ୟା ହେଲେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ ଶକ୍ତି କ୍ଷେତ୍ର । ଏହାର ମୁକାବିଲା ପାଇଁ ଶକ୍ତି ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ଶକ୍ତି ମନ୍ତ୍ରୀ କହିଛନ୍ତି ବାତ୍ୟା ପୂର୍ବ, ବାତ୍ୟା ବେଳେ ଓ ବାତ୍ୟା ପରବର୍ତୀ ମୁକାବିଲା ନେଇ ୱାରରୁମ୍ ପ୍ରସ୍ତୁତ କରାଯାଇଛି । ବିଭାଗୀୟ ସଚିବ କହିଛନ୍ତି, ସବୁ ପରିସ୍ଥିତିର ମୁକାବିଲା ପାଇଁ ବିଭାଗ ପ୍ରସ୍ତୁତ ରହିଛି । ବାତ୍ୟା ପୂର୍ବ ଓ ପରବର୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଥିବା ଶକ୍ତି ସଚିବ ସୂଚନା ଦେଇଛନ୍ତି ।