ଜାଡରେ ଥରୁଛି ସାରା ରାଜ୍ୟ । ପ୍ରବଳ ଶୀତ ଲହରୀକୁ ଆଖି ଆଗରେ ରଖି ଭାରତୀୟ ପାଣିପାଗ କରାଇଲା ସତର୍କ

374

କନକ ବ୍ୟୁରୋ: ସାରା ଓଡ଼ିଶା ଏବେ ଶୀତେଇ ଯାଉଛି । ଦିନ ବଢ଼ିଲେ ବି ଶୀତର ପ୍ରକୋପ ଅତୁଟ ରହୁଛି । ଉପାନ୍ତରୁ ଉପକୂଳ ସବୁଠି ପାରଦ ଖସିବାରେ ଲାଗିଛି । ଶୀତର ପ୍ରକୋପ ବଢ଼ୁଥିବା ବେଳେ ରାଜ୍ୟର କିଛି ସ୍ଥାନରେ ତୁଷାରପାତ ହୋଇଛି । କନ୍ଧମାଳ ଜିଲ୍ଲାରେ ପୁଣି ଦ୍ୱିତୀୟ ଦିନରେ ତୁଷାରପାତ ଦୃଶ୍ୟ ଦେଖିବାକୁ ମିଳିଛି । ଦାରିଙ୍ଗବାଡ଼ି ସମେତ ଆଭ୍ୟନ୍ତରୀଣ ଅଞ୍ଚଳ ସିକପାଟା, ଗ୍ରୀନବାଡ଼ି, ତୁଡ଼ିକିବାଡ଼ି, ପରପାଙ୍ଗ ଠାରେ ମଧ୍ୟ ତୁଷାରପାତ ଦେଖିବାକୁ ମିଳିଛି ।

ଅନ୍ୟପଟେ ସୁନ୍ଦରଗଡ ଜିଲ୍ଲାର କୋଇଡା ଅଞ୍ଚଳରେ ମଧ୍ୟ ହୋଇଛି ତୁଷାରପାତ । ସମ୍ବଲପୁର ଜିଲ୍ଲାର ବାମରା ବ୍ଲକ ଲପଡ଼ା, ରଙ୍ଗବତୀ, ବିଲୁଙ୍ଗ, କର୍ଲିଆଡିହି ଅଞ୍ଚଳରେ ସକାଳୁ ସକାଳୁ ଜମିରେ ତୁଷାରପାତ ଦେଖିବାକୁ ମିଳିଛି । ସେପଟେ ଉପକୂଳ ଓଡ଼ିଶାରେ ବି ରାତିରେ ସ୍ୱାଭାବିକ ତାପମାତ୍ରା ଠାରୁ ତାପମାତ୍ରା କମିଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ଆଗାମୀ ୩ ଦିନ ରାଜ୍ୟର କିଛି ଜିଲ୍ଲାରେ ଶୀତ ଲହରୀ କିମ୍ବା ତୀବ୍ର ଶୀତ ଲହରୀ ଅନୁଭୂତ ହେବ । ଏଥିପାଇଁ ବିଭିନ୍ନ ଜିଲ୍ଲାରେ ଅଲଗା ଅଲଗା ୱାର୍ଣ୍ଣିଂ ଜାରି କରାଯାଇଛି…

ତୀବ୍ର ଶୀତ ଲହରୀ
ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଂଜ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଏବଂ ବୌଦ୍ଧର ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ଲହରୀ ସହ ତୀବ୍ର ଶୀତ ଲହରୀ ଅନୁଭୂତ ହୋଇପାରେ । ଏସବୁ ଜାଗା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି

ଶୀତ ଲହରୀ
ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ଼, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା । ଏସବୁ ଜାଗା ପାଇଁ ୟେଲୋ ୱାର୍ଣ୍ଣଂ ଜାରି ହୋଇଛି

ଥଣ୍ଡା ଦିନ
ଏହାସହ ବାଲେଶ୍ୱର, ଭଦ୍ରକ, ମୟୂରଭଂଜ, କେନ୍ଦୁଝର, କନ୍ଧମାଳ, ଖୋର୍ଦ୍ଧା ଏବଂ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ଥଣ୍ଡା ନେଇ ପୂର୍ବାନୁମାନ ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।