ଗୋଆ କଂଗ୍ରେସକୁ ବଡ ଝଟକା: କଂଗ୍ରେସ ଛାଡି ଟିଏମସିରେ ଯୋଗଦେଲେ ବିଧାୟକ ଆଲେକ୍ସୋ ରିଜିନାଲ୍ଡୋ

142

କନକ ବ୍ୟୁରୋ: ଗୋଆରେ କଂଗ୍ରେସ କୁ ଆଉ ଏକ ଝଟକା । ତୃଣମୁଳ କଂଗ୍ରେସରେ ଯୋଗ ଦେଲେ କଂଗ୍ରେସର ଗୋଆ ପ୍ରଦେଶ କାର୍ଯ୍ୟକାରୀ ସଭାପତି ଆଲେକ୍ସୋ ରେଜିନାଲ୍ଡୋ ଲୋରେଙ୍କୋ । ସୋମବାର ସେ କଂଗ୍ରେସରୁ ଇସ୍ତଫା ନେଇଥିଲେ । କୁର୍ଟୋରିମର ବିଧାୟକ ଭାବରେ ସେ ୨୦୧୭ ରେ କଂଗ୍ରେସ ଦଳରୁ ନିର୍ବାଚିତ ହେଇଥିଲେ ।

କଂଗ୍ରେସର ହାତ ଛାଡି ଦିଦିଙ୍କ ଟିମରେ ସାମିଲ ହେଇଛନ୍ତି ଗୋଆ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଆଲେଇକ୍ସୋ ରେଜିନାଲ୍ଡୋ ଲୋରେଙ୍କୋ । ମଙ୍ଗଳବାର ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ତୃଣମୃଣ କଂଗ୍ରେସରେ ଯୋଗ ଦେଇଛନ୍ତି । ଆଲେଇକ୍ସୋ ରେଜିନାଲ୍ଡୋଙ୍କୁ ଗୋଆ ବିଧାନସଭାର ଶ୍ରେଷ୍ଠ ପ୍ରଦର୍ଶନକାରୀ ବିଧାୟକ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଗୋଆ କୁର୍ଟୋରିୟମ୍ରୁ ତିନି ତିନି ଥର ବିଧାୟକ ହୋଇଥିବା ଆଲେକ୍ସୋ ହଠାତ ଇସ୍ତଫା ଦେବା କଂଗ୍ରେସକୁ ବଡ ଝଟକା ଦେଇଛି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଆଲେକ୍ସୋ ଦଳ ସହ ବିଶ୍ୱାସଘାତତା କରିଛନ୍ତି । ସେ ଯେଉଁ ଦଳରେ ଯୋଡି ହୋଇଛନ୍ତି ତାହା ଆତ୍ମହତ୍ୟା କରିବା ସହ ସମାନ ।

୨୦୨୨ ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ବଡ ଧରଣର ହଲଚଲ ବିଗତ କିଛି ଦିନ ହେବ ଲାଗି ରହିଛି । ଆଉ ଏଥର ମମତାଙ୍କ ତୃଣମୂଳ କଂଗ୍ରେସ ଗୋଆରେ ଶକ୍ତି ବଢାଇବା ପାଇଁ ଅନ୍ୟଦଳର ପ୍ରମୁଖ ନେତାଙ୍କୁ ଆକୃଷ୍ଟ କରୁଛନ୍ତି । ଏହାରି ଭିତରେ କଂଗ୍ରେସ ନେତା ମାନେ ନିଜ ଦଳ ଛାଡୁଥିବା ଦେଖିବାକୁ ମିଳୁଛି । ଗତ କିଛି ଦିନ ଭିତରେ ଆଲେକ୍ସୋଙ୍କୁ ମିଶାଇ କଂଗ୍ରେସର ୨ ଜଣ ବିଧାୟକ ଦଳ ଛାଡିସାରିଲେଣି । ପୂର୍ବରୁ କଂଗ୍ରେସ ବରିଷ୍ଠ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଫଲେରିଓ ଟିଏମସିରେ ଯୋଗ ଦେଇଥିଲ । ୨୦୧୭ ରେ ରାଜ୍ୟରେ କଂଗ୍ରେସର ୧୭ ବିଧାୟକ ସହ ବୃହତ ଦଳ ଭାବରେ ପରିଗଣିତ ହୋଇଥିଲା । କିନ୍ତୁ ସମୟ ଗଡିବା ସହ କଂଗ୍ରେସ ନେତୃତ୍ୱ ନିଜ ଦଳ ଉପରୁ ଭରସା ତୁଟାଇବା ଆରମ୍ଭ କରିଥିଲେ । ଏବେ କଂଗ୍ରେସର ବିଧାୟକ ସଂଖ୍ୟା ଅବିଶ୍ୱସନୀୟ ଭାବରେ ଖସି ଆସି ୨ ରେ ପହଂଚିଛି ।

ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଗୋଆରେ ଦଳଡିଆଁ ଅଭିଯାନ ଆରମ୍ଭ ହୋଇଯାଇଛି । କଂଗ୍ରେସ ଦୁର୍ବଳ ହେଉଥିଲେ ମଧ୍ୟ ଦଳର ନେତୃତ୍ୱ ଏବେ ମଧ୍ୟ ଆଗାମୀ ୨୦୨୨ ନିର୍ବାଚନରେ ଗୋଆରେ ସରକାର ଗଢିବା ନେଇ ବିଶ୍ୱାସ ରଖିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ବର୍ଷ ଗୋଆରେ କିଏ ନିଜର ବିଜୟ ପତାକା ଦୋହାରାଉଛି ।