ବଦଳିଲା ଯାଆଁଳା ଭଉଣୀଙ୍କ ପରିଚୟ। ଅନାଥ ଆଶ୍ରମରୁ ‘ନେସନ୍’ରୁ ଆମେରିକା ଯାତ୍ରା।

90

କନକ ବ୍ୟୁରୋ: ବଦଳିଲା ୨ ଜଣ କୋମଳମତି ଶିଶୁ କନ୍ୟାଙ୍କ ଠିକଣା । ଅନାଥ ଆଶ୍ରମରୁ ଆମେରିକା ଗଲେ ଦୁଇ ଯାଆଁଳା ଶିଶୁ କନ୍ୟା । ଅନାଥ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଆମେରିକୀୟ ଦମ୍ପତି । ଯାଜପୁର ବରୀ ଥାନା ବୁଢାକେନ୍ଦୁଆ ଠାରେ ‘ନେସନ’ ଅନୁଷ୍ଠାନରେ ରହୁଥିବା ଦୁଇ ଯାଆଁଳା ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ବିଦେଶୀ ଦମ୍ପତି । ଦୁଇ ଯାଆଁଳା ଶିଶୁ କନ୍ୟାଙ୍କ ନାମ କଟକି ନାୟକ ଓ ସୁନ୍ଦରୀ ନାୟକ । ନିଃସନ୍ତାନ ଦମ୍ପତି ଏରିକା ଓ ଫିଲିପ ଏହି ଦୁଇ ଭଉଣୀଙ୍କୁ ଗ୍ରହଣ କରିଛନ୍ତି ।

ଓଡିଶାରୁ ଆମେରିକା ଯାଇ ଆଗାମୀ ଦିନରେ ସୁନ୍ଦର ଭବିଷ୍ୟତ ଗଢିବେ ଏମାନେ । ଅନାଥ ହୋଇଯିବା ପରେ ବୁଢାକେନ୍ଦୁଆରେ ନେସନରେ ରହୁଥିଲ ଦୁଇ ଯାଆଁଳା ଭଉଣୀ । ହେଲେ ଏବେଠାରୁ ଏମାନଙ୍କ ଠିକଣା ଓ ପରିଚୟ ବଦଳି ଯାଇଛି । ଯାଜପୁରରେ ଜନ୍ମ ହୋଇଥିବା ଝିଅ ବିଦେଶୀ ଦମ୍ପତିଙ୍କୁ ପିତା-ମାତା ରୂପେ ପାଇଛନ୍ତି । ଆଉ ବାସସ୍ଥାନର ଠିକଣା ଯାଜପୁରର ବୁଢାକେନ୍ଦୁଆ ଠାରେ ‘ନେସନ’ ଅନୁଷ୍ଠାନ ବଦଳରେ ଆମେରିକା ପାଲଟିଯାଇଛି ।

ଆମେରିକା ୱାସିଂଟନର ଦମ୍ପତି ଏହି ଦୁଇ ଯାଆଁଳା ଶିଶୁଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିବା ପାଇଁ ୪ ବର୍ଷ ତଳୁ ଆବେଦନ କରିଥିଲେ । ଦୁଇ ଦିନ ତଳେ ଏହି ପ୍ରକ୍ରିୟା ଚୁଡାନ୍ତ ହେବା ପରେ ପିଲା ଦୁଇଜଣଙ୍କୁ ହସ୍ତାନ୍ତର କରାଯାଇଛି । ଅନୁଷ୍ଠାନର ମୁଖ୍ୟ ପରିଚାଳକ ପ୍ରଦ୍ୟୁମ୍ନ ପାତ୍ର, ଜିଲ୍ଲା ଶିଶୁ ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଚେୟାରମ୍ୟାନ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତରେ ଦୁଇ ଶିଶୁ କନ୍ୟାଙ୍କ ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇଛି ।