ଏସଏଚଜି ମହିଳାଙ୍କୁ ଲୁଟିଲେ ଠକ ଦମ୍ପତି। ଝାରସୁଗୁଡାର ଶତାଧିକ ମହିଳାଙ୍କ ଠାରୁ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା

177

କନକ ବ୍ୟୁରୋ:  ଋଣ ଦେବା ବାହାନାରେ ଶତାଧିକ ମହିଳାଙ୍କୁ ଠକେଇ । ଲୋକଙ୍କ ଠାରୁ ଚୂନା ଲଗାଇଥିବା ଅଭିଯୁକ୍ତଙ୍କୁ ଝାରସୁଗୁଡା ବଢେଇମୁଣ୍ଡାରୁ ଗିରଫ କରିଛି ଝାରସୁଗୁଡା ପୁଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ସ୍ୱାମୀ-ସ୍ତ୍ରୀ । କୁଚିଣ୍ଡାର ଭୀମରାଜ ସୋନୀ ଓ ସୁଜାତା ପଟେଲ,  ଲଇକେରା ଓ କୋଲାବିରା ଥାନା ଅଞ୍ଚଳରେ ୧୦୦ରୁ ଅଧିକ ମହିଳାଙ୍କ ଠାରୁ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇ କରିଥିବା ଝାରସୁଗୁଡା ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି  । ନିଜର ନକଲି ପରିଚୟ ପତ୍ର ତିଆରି କରି ଗାଁ ଗାଁ ବୁଲି ନିଜକୁ ପ୍ରଧାନମନ୍ତ୍ରୀ ମୁଦ୍ରାଯୋଜନାର ଫିଲ୍ଡ଼ ଅଫିସର ପରିଚୟ ଦେଇଥିଲେ  । ବିଭିନ୍ନ ଗାଁର ଏସଏଚଜି ଗ୍ରୁପର ମହିଳାଙ୍କୁ ମୁଦ୍ରା ଯୋଜନାରେ ୧% ସୁଧ ହାରରେ ଲୋନ ଦିଆଯିବ କହିଥିଲେ  । ଏହାପରେ ୮୦ହଜାର ଋଣ ପାଇଁ ୩୧ଶହ ଟଙ୍କା ଏବଂ ୪୦ହଜାର ଋଣ ପାଇଁ ୧୫ଶହ ୫୦ଟଙ୍କା ମହିଳାଙ୍କ ଠାରୁ ଫୋନ ପେ, ଗୁଗୁଲ ପେ ଏବଂ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ନେଇଥିଲେ  । ଟଙ୍କା ନେବା ପରେ ଆଉ ଯୋଗାଯୋଗ କରିନଥିଲେ । ଫୋନ କଲେ ମଧ୍ୟ ଫୋନ ଉଠାଇ ନଥିଲେ । ଏହାପରେ ମହିଳାମାନେ ଠକେଇର ଶିକାର ହୋଇଥିବା ଜାଣି ଉଭୟ କୋଲାବିରା ଓ ଲଇକେରା ଥାନାରେ ଅଭିଯୋଗ କରିଥିଲେ  । ପୋଲିସ ଏନେଇ ମାମାଲା ରୁଜୁକରି ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୨ଟି ମୋବାଇଲ ଫୋନ, ନକଲି ପରିଚୟପତ୍ର ଜବତ ହୋଇଛି । ଏବଂ ସେମାନଙ୍କ ନାଁରେ ଥିବା ବ୍ୟାଙ୍କ ଆକାଉଂଟକୁ ପୁଲିସ ଫ୍ରିଜ କରିଛି ।