ବାର୍ଦ୍ଧକ୍ୟରେ ବୃଦ୍ଧାଙ୍କ ବିକଳ କାହାଣୀ । ନିଜର ଲୋକଙ୍କୁ ହରାଇବା ପରେ ଭଙ୍ଗା କୁଡିଆରେ ପଡିରହିଛନ୍ତି ଜାନକୀ

147

କନକ ବ୍ୟୁରୋ: ମୁଣ୍ଡ ଉପରେ ଛପର ନାହିଁ, ପେଟକୁ ଦାନା ନାହିଁ । ଆହା କହିବାକୁ ବି କେହି ନାହିଁ । ଏବୟସରେ ବିଞ୍ଚିବେ କେମିତି? ଏହେଉଛି ଆନନ୍ଦପୁର ହାଟଡିହି ବ୍ଳକ ଶାଳନିଆ ଗାଁର ବୃଦ୍ଧା ଜାନକୀଙ୍କ ମନର ଆର୍ତ୍ତ ଚିକ୍ରାର ।

ବୟସ ୬୫ ପରେ । କରୋନାରେ ସ୍ୱାମୀ ଚାଲିଗଲେ । ପୁଅ କାମ କରିବାକୁ ବାହାରକୁ ଯାଇଛି ଯେ ୧୦ ବର୍ଷ ହେଲା ଘରକୁ ଫେରିନି । ଝିଅ ୨ ଟି ବାହା ଦେଇଥିଲେ ତାଙ୍କ ଅବସ୍ଥା ବି ଶୋଚନୀୟ । ଏବେ ସମ୍ପୂର୍ଣ୍ଣ ଅସହାୟ ବୃଦ୍ଧା ଜାନକୀ । ଘର ଭାଙ୍ଗିରୁଜି ଅଧା ମାଟିରେ ମିଶିଲାଣି । କାନ୍ଥ ନାହିଁ କି ଛପର ନାହିଁ । ଖାଲି ବାଉଁଶ ଦିଖଣ୍ଡ ପଡିଛି । ଦିନ ସାରା ଏପଟ ସେପଟ ହୋଇ ସମୟ କାଟିଦେବା ପରେ ରାତିରେ ପିଣ୍ଢାରେ ମଶାରୀ ଟାଙ୍ଗି ଶୋଉଛନ୍ତି ଜାନକୀ । ପେଟକୁ ବି ଦାନା ନାହିଁ ଯେ, ପଡୋଶୀ ହାତ ଟେକି ଗଣ୍ଡେ ଦେଲେ କୋଉଦିନ ଖାଇଲେ ନହେଲେ ଖାଲିପେଟରେ ଶୋଇପଡନ୍ତି । ଏବୟସରେ ସେ ଭାରୀ ଅସହାୟ । ନା ସାହା କେହି ଅଛି ନା ଆହା କହିବାକୁ କେହି ଅଛି ।

ଏ ଅବସ୍ଥା ଏବେକାର ନୁହେଁ ଦୀର୍ଘ ଦିନର । ସ୍ୱାମୀ ଚାଲିଯିବା ପରେ ତ ଜାନକୀଙ୍କ ଜୀବନ ଆହୁରି ଦୁର୍ବିସହ ହୋଇପଡିଛି । ୟା ଭିତରେ ଅନେକ ନିର୍ବାଚନ ଗଲାଣି,ଅନେକ ଲୋକପ୍ରତିନିଧି ବଦଳିଲେଣି । ହେଲେ ଜାନକୀଙ୍କ ଉପରେ କାହାରି ନଜର ପଡିନାହିଁ । ସବୁଠୁ ଆଶ୍ଚର୍ଯ୍ୟର କଥା ଏଯାଏଁ ତାଙ୍କୁ ରାସନ୍ କାର୍ଡଟିଏ ବି ମିଳିନି । ବାର୍ଦ୍ଧ୍ୟକ୍ୟ ଭତ୍ତା, କି ଘର ଖଣ୍ଡେ ମିଳିବା ତ ଦୂରର କଥା । ଏତେ ଦିନ ପରେ ଉପଜିଲ୍ଲାପାଳ କହୁଛନ୍ତି ସର୍ଭେ କରି ଜାନକୀଙ୍କ ପାଇଁ ଯାହା ସମ୍ଭବ କରାଇବେ ।

ଜାନକୀଙ୍କ ଭଳି ଅନେକ ଅସହାୟ ବୃଦ୍ଧବୃଦ୍ଧା ଏଭଳି ଦୟନୀୟ ଜୀବନ ବଞ୍ଚୁଥିଲେ ବି ପ୍ରଶାସନ କିନ୍ତୁ ଏମାନଙ୍କ ପ୍ରତି ଉଦାସୀନ । ତେଣୁ ପ୍ରଶ୍ନ ଉଠେ ଏଠି ସରକାର ତାହେଲେ କାହାପାଇଁ?