ପଦାରେ ପଡିଲା ପୁଲିସ କମିଶନରଙ୍କ ମିଛ! ଫରୱାର୍ଡିଂ ଲେଟର ଖୋଲିଦେଲା କମିଶନରେଟ ପୁଲିସର ମୁଖା!

67

କନକ ବ୍ୟୁରୋ: ଭୁବନେଶ୍ୱର ଲିଙ୍ଗିପୁର ଏଟିଏମ ଲୁଟ ଘଟଣାରେ ବାଃବାଃ ନେବାକୁ ଯାଇ କମିଶନରେଟ୍ ପୁଲିସ ମୁଖିଆ ଯେମିତି କାହାଣୀ ଶୁଣାଇଥିଲେ ଏବେ ସେହି କାହାଣୀର ସତ ପଦାକୁ ଆସିଛି । ବେଙ୍ଗାଲୁରୁରେ କମିଶନରେଟ୍ ପୁଲିସର ଟିମ୍ ପାଦରେ ଚାଲି ଚାଲି ଅଭିଯୁକ୍ତଙ୍କୁ କାବୁ କରିଛି ବୋଲି ଦାବି କରିଥବା କମିଶନରଙ୍କ ମିଛ ଧରାପଡି ଯାଇଛି । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣବେଳେ ତଦନ୍ତକାରୀ ଅଫିସର ଦେଇଥିବା ଫରୱାର୍ଡିଂ ଲେଟରରେ ସେମାନଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନରୁ ଗିରଫ କରିଥିବା ଦର୍ଶାଯାଇଛି । ପୋଲିସର ମିଛ ଓ ଲୁଟ ହୋଇଥିବା ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ନମିଳିବାକୁ ନେଇ ଏବେ କମିଶନରେଟ୍ ପୁଲିସ କାର୍ଯ୍ୟକାରୀତା ଉପରେ ସନ୍ଦେହ ପ୍ରକାଶ ପାଇଛି ।

ତେବେ କୋର୍ଟକୁ ଦିଆଯାଇଥିବା ଫରୱାର୍ଡିଂ ଲେଟର ଯଦି ସତ ହୁଏ, ତାହାହେଲେ କଣ ସବୁ ମିଛ କହିଥିଲେ କମିଶନର ।
– ବେଙ୍ଗାଲୁରରେ ପାଦରେ ଚାଲି ଚାଲି ୩୦ଟିି ହୋଟେଲେ ଯାଂଚ କରିିଥିଲେ କମିଶନରରେଟ ପୁଲିସର ସ୍ୱତନ୍ତ୍ର ଟିମ୍
– ୧୫ ତାରିଖରେ ଏଟିଏମ ଲୁଟ ଉଦ୍ୟମ ବେଳେ ବେଙ୍ଗାଲୁର ପୁଲିସ ସହାୟତାରେ ଗିରଫ କରାଯାଇଥିଲା ।
– ଲୁଟ ପରେ ଦଲାଲଙ୍କ ଜରିଆରେ ଟଙ୍କା ବାଂଲାଦେଶକୁ ପଠା ଯାଇଥିଲା

ତେବେ କେଉଁ କଥାଟି ସତ? ଗଣମାଧ୍ୟମ ଆଗରେ ପୁଲିସ କମିଶନରଙ୍କ ବୟାନଟି ସତ ନା ଫରୱାର୍ଡିଂ ଲେଟର ସତ । କମିଶନରଙ୍କ ମୁହଁରେ ମିଛ କୁହାଇଦେଲେ କି ସ୍ୱତନ୍ତ୍ର ଟିମ୍ । ତେବେ ଶୁଣନ୍ତୁ କେଉଁମାନେ କରିଥିଲେ ତଦନ୍ତ ଆଉ କିଏ କୁହାଇଲା ମୁଖିଆଙ୍କୁ ମିଛ ? ଲିଙ୍ଗିପୁର ଏଟିଏମ ମେସିନ ତାଡି ଡକାୟତି ଭଳି ହାଇପ୍ରୋଫାଇଲ ଘଟଣାରେ ସ୍ୱତନ୍ତ୍ର ଟିମର ନେତୃତ୍ୱ ନେଇଥିଲେ ୩ ଅଫିସର ଓ ତାଙ୍କ ଟିମ୍ ।

ପୁଲିସ କମିଶନର ଧନ୍ୟବାଦ ଦେଇ ଏହି ଅଫିସରମାନଙ୍କୁ ମିଶନ ଇମ୍ପୋସିବୁଲର ହିରୋ ବନାଇଥିଲେ । ଏହି ଅଫିସରମାନେ କମିଶନରଙ୍କୁ ତଦନ୍ତରୁ ପାଇଥିବା ଯେଉଁ ସବୁ ତଥ୍ୟ ଦେଇଥିଲେ ତାହା ଗୋଟି ଗୋଟି କରି ଗଣମାଧ୍ୟମକୁ କହିଥିଲେ ପୁଲିସ କମିଶନର । ହେଲେ ଫରୱାର୍ଡିଂ ଲେଟରରେ ସବୁକିଛି ଓଲଟ ପାଲଟ ହୋଇଗଲା । ଏଥିରୁ ଜଣାପଡୁଛି ଯେ,ପୁଲିସ କମିଶନର ଗଣମାଧ୍ୟମ ଆଗରେ ଗପ ଶୁଣାଉଥିଲେ । ଏଠାରେ ପ୍ରଶ୍ନ ଉଠୁଛି,

-ପୁଲିସ କମିଶନରଙ୍କୁ ଏହି ଗପ ଶୁଣାଇଥିବା ଅଫିସର କିଏ?
-ଗଣମାଧ୍ୟମ ଆଗରେ ପୁଲିସ କମିଶନର ମିଛ କାହିଁକି କହିଲେ ?
-ମିଛ କହିବାର ଉଦ୍ଦେଶ୍ୟ କଣ ଥିଲା ?
-ପୁଲିସ ମିଛ କହି ମାମଲାକୁ ହାଲୁକା କରିଦେଲା କି ?
-ମିଛ କହିଥିବା ଅଧିକାରୀଙ୍କ ବିେରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ?

ପୁଲିସ ଆଖିରେ ଧୁଳି ଦେଇ ଡକାୟତମାନେ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟ କରିଥିଲେ । ହେଲେ ପୁଲିସ ଟଙ୍କାଟିଏ ବି ପାଇବାରେ ସକ୍ଷମ ହୋଇପାରିଲାନାହିଁ । ତେଣୁ ଏତେ ବଡ ବିଫଳତାର ଲୁଚାଇବାକୁ ଯାଇ କମିଶନରେଟ ପୁଲିସ ବେଙ୍ଗାଲୁରୁ ଗପ ଶୁଣାଇଥିଲା କି?