ଗେହଲଟଙ୍କୁ ଗାଦିଚ୍ୟୁତ କରି ସଚ୍ଚିନ ପାଇଲଟ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ, ସୋନିଆଙ୍କୁ ଭେଟିବା ପରେ ରାଜନୀତି ସରଗରମ

115

କନକ ବ୍ୟୁରୋ : ରାଜସ୍ଥାନ ରାଜନୀତି ନୂଆ ମୋଡ ନେଇପାରେ । ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟଙ୍କ ସ୍ଥାନରେ ଦଳ ଯୁବନେତା ସଚ୍ଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ପାରନ୍ତି । ଆଜି ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଏନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କି ଆଜିର ଆଲୋଚନା ବେଳେ ଗେହଲଟଙ୍କ ସ୍ଥାନରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସଚ୍ଚିନ ସୋନିଆଙ୍କ ନିକଟରେ ଦାବି କରିଛନ୍ତି । କହିରଖୁ କି ରାଜସ୍ଥାନରେ ପୂର୍ବ ବିଧାନସଭା ନିର୍ବାଚନ ବେଳେ ସଚ୍ଚିନ ପାଇଲଟ ମୁଖ୍ୟ ଭୂମିକା ତୁଲାଇଥିଲେ । ହେଲେ ଦଳ ବିଜୟୀ ହେବା ପରେ ଦଳର ହାଇକମାଣ୍ଡ ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ ଓ ସଚ୍ଚିନଙ୍କୁ ଉପ ମୁଖ୍ୟମନ୍ତ୍ରୀ ସହ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ପଦ ଦିଆଯାଇଥିଲା । ହେଲେ ୨୦୨୦ ମସିହାରେ ସଚ୍ଚିନ ଯେତେବେଳେ ଦଳ ବିରୋଧରେ କିଛି ମନ୍ତ୍ରବ୍ୟ ଦେଇ ଚର୍ଚ୍ଚାକୁ ଆସିଲେ ସେତେବେଳେ ତାଙ୍କ ଠାରୁ ଉଭୟ ପଦ ଛଡାଇ ନିଆଯାଇଥିଲା ।

ଅନ୍ୟପଟେ ପୂର୍ବ ଦୁଇବର୍ଷ ମଧ୍ୟରେ କଂଗ୍ରେସର ଅନେକ ନେତା ଦଳ ଛାଡି ଅନ୍ୟଦଳରେ ଯୋଗ ଦେଇସାରିଛନ୍ତି । ଏହାସହ ଯଦି ରାହୁଲ ଗାନ୍ଧୀଙ୍କ ଅତି ନିକଟତର ନେତାଙ୍କ କଥା କୁହାଯିବ ତେବେ ଏବେ ଦଳ ଭିତରେ କେବଳ ସଚ୍ଚିନ ପାଇଲଟ ହିଁ ଅଛନ୍ତି । କାହିଁକି ନା ଜ୍ୟୋତିରାଦିତ୍ୟ ସ୍କିନ୍ଦିଆ, ଜିତୀନ ପ୍ରସାଦ, ଓ ଆର,ପି ସିଂଙ୍କ ଭଳି ନେତା ଏବେ ଦଳଛାଡି ବିଜେପିରେ ଯୋଗ ଦେଇସାରିଛନ୍ତି ।

ଏସବୁକୁ ନଜର କରି ଓ ଆଗାମୀ ବିଧାନସଭା ନିର୍ବାଚନକୁ ନଜରରେ ରଖି ସୋନିଆ ଗାନ୍ଧୀ ସଚ୍ଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ପାରନ୍ତି । କାରଣ ଏବେ ରାଜସ୍ଥାନ କଂଗ୍ରେସର ଅଧିକାଂଶ ବିଧାୟକ ସଚ୍ଚିନଙ୍କ ସପକ୍ଷରେ ରହିଛନ୍ତି । କେବଳ ଅନୁଭବ ଓ ବରିଷ୍ଠତା ଦୃଷ୍ଟିରୁ ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଯାଇଛି ।