ଏଇଠି ରହିଛି ଇନ୍ଦିରା ଗାନ୍ଧୀଙ୍କ ୭୩ କେଜି ରୂପା, କେହି ନାହାଁନ୍ତି ଦାବିଦାର

335

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ବିଜନୋର ଜିଲ୍ଲା କୋଷାଗାରରେ ଦୀର୍ଘ ୫୦ ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାମରେ ୭୩ କେଜି ରୂପା ପଡିରହିଛି । ଏହାକୁ କୋଷାଗାର ତରଫରୁ ସୁରକ୍ଷିତ ଭାବେ ରଖାଯାଇଛି । ହେଲେ ୫୦ ବର୍ଷ ମଧ୍ୟରେ ଏହି ରୂପାକୁ ନେବା ପାଇଁ ନା ଗାନ୍ଧୀ ପରିବାରରୁ କେହି ଦାବି କରିଛନ୍ତି ନା ଅନ୍ୟ କେହି । ଆଜିର ମାର୍କେଟ ମୁତାବକ ଏହି ରୂପାର ଦାମ ୩୩ ରୁ ୩୪ ଲକ୍ଷ ଟଙ୍କା ହେବ ବୋଲି କୋଷାଗାର ତରଫରୁ କୁହାଯାଇଛି ।

ସେପଟେ କୋଷାଗର ଅଧିକାରୀଙ୍କ ତରଫରୁ ଏହି ରୂପାକୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଦେଇଦେବା ନେଇ ଚିଠି ଲେଖାଯାଇଥିଲା । ହେଲେ ଏହାକୁ ବ୍ୟକ୍ତିଗତ ସମ୍ପତ୍ତି କହି ରିଜର୍ଭ ବ୍ୟାଙ୍କ ନେବାକୁ ବି ମନା କରିଛି । ଏହାପରେ କୋଷାଗାର ତରଫରୁ ଏହି ରୂପାକୁ କଣ କରାଯିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚରାଯାଇଥିଲେ ବି ରାଜ୍ୟ ସରକାର ଏନେଇ କୌଣସି ଉତ୍ତର ଦେଇ ନାହାଁନ୍ତି । ତେଣୁ ଏବେ ବି ବିନା ଦାବିଦାରରେ ଇନ୍ଦିରା ଗାନ୍ଧୀଙ୍କ ଏହି ଅମାନତ ବିଜନୋର କୋଷାଗାରରେ ପଡି ରହିଛି ।

ସୂଚନା ମୁତାବକ ବିଜନୋରର କାଲାଗଡ ଠାରେ ଏସିଆ ମହାଦେଶର ସବୁଠାରୁ ବଡ ମାଟି ବନ୍ଧ ନିର୍ମାଣ ହେବାର ଥିଲା । ଏହି ବନ୍ଧ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ଲୋକେ ୧୯୭୨ ମସିହାରେ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନିମନ୍ତ୍ରଣ କରିଥିଲେ । ଇନ୍ଦିରା ଗାନ୍ଧୀ ସେଠାକୁ ଆସିଥିବା ବେଳେ ବନ୍ଧ ନିର୍ମାଣରେ ନିୟୋଜିତ ଶ୍ରମିକମାନେ ତାଙ୍କୁ ରୂପା ସହ ଓଜନ କରିଥିଲେ । ଯାହା ଓଜନ ପାଖାପାଖି ୭୨ କେଜି ଥିଲା । ଏହାସହ ଅନ୍ୟକିଛି ଉପହାର ସହ ମୋଟ ଇନ୍ଦିରାଙ୍କ ଓଜନ ତୁଳନାରେ ୭୩ କିଲୋ ରୂପା ସ୍ଥାନୀୟ ଲୋକେ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ ।

ହେଲେ ଗଲାବେଳେ ଇନ୍ଦିରା ଗାନ୍ଧୀ ତାହାକୁ ସାଥିରେ ନନେଇ ଚାଲିଯାଇଥିଲେ । ଏହାପରେ ସେଠିକାର ପ୍ରଶାସନ ଏହାକୁ ବିଜେନୋର କୋଷାଗାରରେ ରଖିଦେଇଥିଲେ । ସେହିଦିନ ଠାରୁ ଏହି ୭୩ କେଜି ରୂପା କୋଷାଗାରରେ ରହିଥିଲେ ବି ଏପର୍ଯ୍ୟନ୍ତ ତାହାକୁ ନେବାକୁ କେହି ଦାବି କରି ନାହାଁନ୍ତି ।