ଟ୍ରେନରେ ଚାଲିଛି ପାଠପଢା: ନିଜ ଖର୍ଚ୍ଚରେ ଅଙ୍ଗନବାଡିକୁ ଏମିତି ରୂପ ଦେଲେ ଦିଦି

1,069

କନକ ବ୍ୟୁରୋ: ଟ୍ରେନ ଭିତରେ ଅଙ୍ଗନୱାଡି କେନ୍ଦ୍ର । ଟ୍ରେନ ଫାଟକ ଦେଇ ଭିତରକୁ ଯାଉଛନ୍ତି କୁନି କୁନି ପିଲା, ଆଉ ତା ଭିତରେ ଚାଲିଛି ପାଠ ପଢା । ଏ ଦୃଶ୍ୟ ଦେଖି ଆପଣ ଭ୍ରମିତ ହେଉଥିବେ ନିଶ୍ଚେ । କାରଣ ଏହା କେଉଁ ଟ୍ରେନ କି ଷ୍ଟେସନ ନୁହେଁ ଏହା ହେଉଛି ଏକ ଅଙ୍ଗନବାଡି କେନ୍ଦ୍ର । ପିଲାମାନଙ୍କୁ ଆକର୍ଷିତ କରିବା ପାଇଁ ଏଭଳି ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି ଅଙ୍ଗନବାଡି ଦିଦି । ନିଜ ଖର୍ଚ୍ଚରେ ଅଙ୍ଗନବାଡି କେନ୍ଦ୍ରକୁ ଏଭଳି ନୂଆ ରୂପ ଦେଇଛନ୍ତି ଅଙ୍ଗନବାଡି କର୍ମୀ ଅହଲ୍ୟା ସାହୁ ।

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକରେ ଅବସ୍ଥିତ ବାବୁକେନ୍ଦୁଗୁଡା ଅଙ୍ଗନବାଡି କେନ୍ଦ୍ର । ଏଠାରେ କାର୍ଯ୍ୟରତ ଅଛନ୍ତି ଅହଲ୍ୟା ସାହୁ । ତେବେ କରୋନା ମହାମାରୀ ପାଇଁ ଅନେକ ଦିନ ହେବ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଥିଲା । ତେଣୁ ପିଲାମାନଙ୍କ ପାଠ ପଢା ପ୍ରତି ଆକର୍ଷିତ କରିବା ପାଇଁ ସ୍କୁଲକୁ ଏଭଳି ରୂପ ଦେଇଛନ୍ତି ଅହଲ୍ୟା ଦିଦି । ଏହି ଚିତ୍ର ଦେଖି ପିଲାମାନେ ଅଙ୍ଗନବାଡି ଆସି ପାଠ ପଢିବା ସହ ଖେଳକୁଦ କରି ସମୟ ବିତାଇଥାନ୍ତି ।

ଅଙ୍ଗନବାଡି ଭିତରେ ପୂରା ସଫା ସୁତରା ପରିବେଶରେ ପାଠ ପଢୁଛନ୍ତି ପିଲା । ପିଲାମାନଙ୍କ ପାଇଁ ଛୋଟ ଛୋଟ ଟେବୁଲ ମଧ୍ୟ ପଡିଛି । ଯାହା କୌଣସି ଇରାଜୀ ମିଡିୟମ ସ୍କୁଲଠାରୁ ବି କମ ନୁହେଁ । ପିଲାମାନଙ୍କୁ ରୁଟିନ ଅନୁସାରେ ପାଠ ପଢାଇବା ସହ ପୃଷ୍ଟିକର ଖାଦ୍ୟ ମଧ୍ୟ ଦେଇଥନ୍ତି ଅହଲ୍ୟା ଦିଦି । ଜଣେ ଅଙ୍ଗନବାଡି କର୍ମୀ ହୋଇଥିଲେ ବି ତାଙ୍କ ସେବା ଓ କର୍ତ୍ତବ୍ୟନିଷ୍ଠ କାମ ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସିତ ହୋଇଛନ୍ତି ।