ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ପଞ୍ଚମ ଦିନ, ୫ଟି ଜିଲ୍ଲାର ୪୪୫ ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

67

କନକ ବ୍ୟୁରୋ : ଆଜି ଦ୍ବିତୀୟ ପର୍ଯ୍ୟାୟର ପଞ୍ଚମ ଦିବସରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୫ ଟି ଜିଲ୍ଲାର ୪୪୫ ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଆଲୋଚନାରେ ଭାଗ ନେଇ ବାଲେଶ୍ବରରୁ ପ୍ରଜ୍ଞାସ୍ମିତା, ପୁରୀରୁ ସ୍ବୟଂସ୍ନିଗ୍ଧା, ନୟାଗଡରୁ ପ୍ରତ୍ୟାଶା, ଜଗତସିଂହପୁରରୁ ବିନ୍ଦୁଜା ଓ ଭଦ୍ରକରୁ ସୋନାଲି ଆଦି ଛାତ୍ରଛାତ୍ରୀ ସେମାନଙ୍କ ବ୍ୟକ୍ତବ୍ୟରେ ସ୍କୁଲ ରୂପାନ୍ତର ବିଷୟରେ ସେମାନଙ୍କ ଅନୁଭବ ବର୍ଣ୍ଣନା କରିଥିଲେ । ବେସରକାରୀ ସ୍କୁଲ ଠାରୁ ଆମ ସ୍କୁଲ ଏବେ ବହୁ ଆଗରେ ବୋଲି ପିଲାମାନେ ମତ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିବା ଏହି ୪୪୫ ଟି ସ୍କୁଲ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ୧୩୫ ଟି, ପୁରୀ ଜିଲ୍ଲାର ୯୫ ଟି, ନୟାଗଡ ଜିଲ୍ଲାର ୬୦ଟି, ଜଗତସିଂହପୁର ଜିଲ୍ଲାର ୭୫ଟି, ଭଦ୍ରକ ଜିଲ୍ଲାର ୮୦ ଟି ହାଇସ୍କୁଲ ସାମିଲ ଅଛି । କହିରଖୁ କି ଦ୍ୱତୀୟ ପର୍ଯ୍ୟାୟରେ ମୋଟ ୨୯୦୮ ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିସାରିଛନ୍ତି ।

ଏହି ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । ରୂପାନ୍ତର ସେମାନଙ୍କ ମାନସିକ ସ୍ତରରେ ମଧ୍ୟ ପରିବର୍ତ୍ତନ ଆଣିଛି। ସେମାନେ ଆଗ ଅପେକ୍ଷା ଅଧିକ ଆତ୍ମବିଶ୍ବାସର ସହ ନୂଆ ଆଶା ଓ ସଂକଳ୍ପ ନେଇ ଆଗକୁ ବଢୁଛନ୍ତି । ଏହା ଓଡିଶାର ଭବିଷ୍ୟତ ପାଇଁ ଏକ ଶୁଭ ସଂକେତ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି । ତେଣୁ ପାଠ ହେଉ ବା ଖେଳ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି କାର୍ୟ୍ୟକ୍ରମ ରେ ଅଂଶ ଗ୍ରହଣ କରି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ପାତ୍ର, ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଡଃ ଅରୁଣ କୁମାର ସାହୁ, ସରକାରୀ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଓ ବିଧାୟକ ଡଃ ବ୍ୟୋମକେଶ ରାୟ ପ୍ରମୁଖ ସେମାନଙ୍କ ଭାଷଣ ରେ ସ୍କୁଲ ରୂପାନ୍ତର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତନ ଆଣିଛି ବୋଲି ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟିର ମୁଖ୍ୟ ଭି,କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।