ବୋରୱେଲ ଭିତରୁ ଉଦ୍ଧାର ହେଲା ଶିବମ । ୪ ବର୍ଷର ଶିଶୁକୁ ଉଦ୍ଧାର କଲା ଏନଡିଆରଏଫ୍ ଟିମ୍ ।

482

କନକ ବ୍ୟୁରୋ: ବୋରୱେଲ ଭିତରୁ ଉଦ୍ଧାର ହେଲା ଶିବମ । ଏନଡିଆରଏଫର ରେସ୍କ୍ୟୁ ଅପରେସନ୍ ପରେ ଉଦ୍ଧାର ହୋଇଛି ଏହି ୪ ବର୍ଷର ଶିଶୁ । ତେବେ ବର୍ତ୍ତମାନ ତାଙ୍କୁ ହସ୍ପିଟାଲ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଶିବମର ସ୍ୱାସ୍ଥ୍ୟ ବର୍ତ୍ତମାନ କେମିତି ଅଛି ସେନେଇ କୌଣସି ସଠିକ୍ ସୂଚନା ମିଳିପାରିନି । ବୋରୱେଲ ଭିତରୁ ଉଦ୍ଧାର କରିବା ପରେ ତୁରନ୍ତ ଶିବମକୁ ଆମ୍ବୁଲାନ୍ସରେ ବସାଇ ହସ୍ପିଟାଲକୁ ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ଡୋମନ୍ ମାଞ୍ଝୀଙ୍କ ପୁଅ ଶିବମ କୁମାର ରବିବାର ସକାଳ ୯ଟା ବେଳେ ଖେଳୁଥିବାବେଳେ, ଅଚାନକ ବୋରୱେଲ ଭିତରେ ପଡିଯାଇଥିଲେ । ଏହାପରେ କୁନି ପୁଅଟି ସହ ଖେଳୁଥିବା ତା ସାଙ୍ଗମାନେ ଆସି ଘରେ ସୂଚନା ଦେଇଥିଲେ । ପରେ ପରେ ଉକ୍ତ ସ୍ଥାନରେ ଲୋକଙ୍କ ଗହଳି ଲାଗିଥିଲା, ଆଉ ଏବେ ଉଦ୍ଧାର କରିବାକୁ ଏନଡିଆରଏଫ୍ ଟିମ୍ ଆସି ପହଞ୍ଚିଥିଲା ।

ଏହି ବୋରୱେଲର ଗଭୀରତା ରହିଥିଲା ୧୫୦ ଫୁଟ୍ । ହେଲେ କୁନି ପୁଅଟି କିନ୍ତୁ ୨୦ରୁ ୩୦ ଫୁଟ୍ ଗଭୀରରେ ଅଟକି ରହିଥିଲା । ଦ୍ୱିପହର ପ୍ରାୟ ସାଢେ ୧ଟା ବେଳେ ପାଟଣାରୁ ଏନଡିଆରଏଫ୍ ଟିମ୍ ଆସି ପହଞ୍ଚିଥିଲା । ତା ସହିତ ଜିଲ୍ଲା ପ୍ରଶାସନ ତରଫରୁ ବୋରୱେଲ ଭିତରକୁ ସିସିଟିଭି କ୍ୟାମେରା ପହଞ୍ଚାଇ ଶିଶୁଟି ଉପରେ ନଜର ରଖିଥିଲା । ଶେଷରେ ଦୀର୍ଘ ସମୟର ରେସ୍କ୍ୟୁ ଅପରେସନ୍ ପରେ ଏନଡିଆରଏଫ୍ ଶିବମକୁ ଉଦ୍ଧାର କରିଛି ।