ଭାଇମାନେ ବୁଡିଯାଉଥିଲେ, ମୁଁ ହାତ ଟାଣି ସେମାନଙ୍କୁ ବଞ୍ଚେଇବାକୁ ଚେଷ୍ଟା କରୁଥିଲି । ପଢନ୍ତୁ, ଯାଜପୁର ନଦୀରେ ଅଘଟଣ ପରେ, କଣ କହୁଛନ୍ତି ପ୍ରତ୍ୟେକ୍ଷଦର୍ଶୀ…

453

କନକ ବ୍ୟୁରୋ: ଯାଜପୁର ଖରସ୍ରୋତା ନଦୀରେ ଭାସିଯାଇ ଏବେ ସୁଦ୍ଧା ୨ ଜଣ ଯୁବକଙ୍କର ମୃତ୍ୟୁ ହୋଇସାରିଛି । ଯାହାପରେ ଗାଁରେ ଏବେ ଦେଖିବାକୁ ମିଳିଛି ଶୋକାକୂଳ ପରିବେଶ । ତେବେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ, ୭ ଜଣ ଯାକ ଗାଁର ଯୁବକ ନଦୀରେ ଗାଧୋଇବାକୁ ଯାଇଥିଲେ । ନଦୀରେ ବୁଡିବା ପରେ ସେମାନେ ବଞ୍ଚିବାକୁ ବି ଚେଷ୍ଟା କରିଥିଲେ । ହେଲେ ନଦୀର ଗଣ୍ଡ ଭିତରେ ବୁଡିଯାଇଥଲେ ।

ଗାଁର କିଛି ପିଲାଙ୍କ କହିବା ମୁତାବକ, ଅନ୍ୟ ଗାଁର କିଛି ପିଲାଙ୍କୁ ଲୋକ ଉଦ୍ଧାର କରିଥିଲେ । ଜଣଙ୍କୁ ଉଦ୍ଧାର ମଧ୍ୟ କରାଯାଇଥିଲା । ହେଲେ ସେତେବେଳକୁ ସେ ନିଶ୍ୱାସ ନେବା ସ୍ଥିତିରେ ନଥିଲେ । ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ସେହି ବ୍ୟକ୍ତି ଜଣଙ୍କୁ ହିଁ ଉଦ୍ଧାର କରାଯାଇପାରିଛି ।

ସୂଚନାଯୋଗ୍ୟ ଯେ, ରଙ୍ଗ ଖେଳିବା ପରେ ନଦୀରେ ଗାଧୋଇବାକୁ ଯାଇ ଖରସ୍ରୋତାରେ ନିଖୋଜ ହୋଇଯାଇଥିଲେ ଯାଜପୁରର ୭ ଯୁବକ । ନିଖୋଜମାନଙ୍କୁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଖୋଜାଖୋଜି ଚଳାଇଛନ୍ତି । ହେଲେ ଯେଉଁ ସ୍ଥାନରେ ଯୁବକମାନେ ନିଖୋଜ ହୋଇଛନ୍ତି, ସେହି ସ୍ଥାନରେ ପାଣି ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ବର୍ତ୍ତମାନ ସୁଦ୍ଧା, ନିଖୋଜମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି, ଆଉ ୪ଜଣ ଏବେ ବି ନିଖୋଜ ଅଛନ୍ତି ।

ଆଜି ଦିନ ପ୍ରାୟ ୧୨ଟା ବେଳେ ଯାଜପୁରର ବଡସୁଆଁର ଗାଁ ଦୋଳ ପାଇଁ ଉତ୍ସବ ମୁଖର ଥିଲା । ସମସ୍ତେ ବେଶ ଧୁମଧାନରେ ରଙ୍ଗ ଖେଳିଥିଲେ । ଗାଁରେ ଲାଗିରହିଥିଲା ଉତ୍ସବର ମାହୋଲ । ଆଉ ରଙ୍ଗ ଖେଳି ସାରିବା ପାଇଁ ଗାଁର କିଛି ଯୁବକ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ନଦୀର ପ୍ରଖର ସ୍ରୋତରେ ୭ଜଣ ଭାସି ଯାଇଥିଲେ । ତେବେ ଏହି ସମୟରେ ଜଣେ ଯୁବକ ଗ୍ରାମବାସୀଙ୍କୁ ଜଣାଇବା ପରେ ନଦୀକୂଳରେ ଗାଁ ଲୋକ ଜମା ହେବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଏହାପରେ ନଦୀ ଭିତରେ ଯୁବକଙ୍କ ନିଖୋଜ ଖବର ପାଇ ଖୋଜିବା ଆରମ୍ଭ କରିଥିଲେ ଉଦ୍ଧାରକାରୀ ଦଳ । ବୋଟ ଜରିଆରେ ନଦୀ ଭିତରେ ନିଖୋଜମାନଙ୍କୁ ଖୋଜିଥିଲେ । ହେଲେ, ନଦୀରେ ପାଣି ଅଧିକ ଥିବାରୁ ଉଦ୍ଧାରକାରୀ ଦଳ ପାଇଁ ଯୁବକମାନଙ୍କୁ ଠାବ କରିବା କଷ୍ଟକର ହୋଇଥିଲା । କୁହାଯାଉଛି, ଯେଉଁ ସ୍ଥାନରେ ପିଲାମାନେ ଭାସି ଯାଇଥିଲେ, ସେହି ସ୍ଥାନରେ ଏକ ଗଣ୍ଡ ରହିଛି ।

ତେବେ ଏସବୁ ଭିତରେ ହୋଲି ପୂର୍ବରୁ ଯାଜପୁରର ଏହି ଅଘଟଣ ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଛି । ଆଉ ରଙ୍ଗ ଖେଳିବା ପରେ ନଦୀକୁ ଗାଧୋଇବାକୁ ଯାଉଥିବା ଲୋକଙ୍କୁ ସତର୍କ କରିଛି । ମିଳିଥିବା ସୂଚନା ଅନୁସାରେ ୮ଜଣ ନଦୀରେ ଗାଧୋଇବାବେଳେ ପାଣି ଭିତରେ ଏକ ବାଇଗଣ ଫୋପାଡି ଧରୁଥିଲେ । ଏତିକିବେଳେ ଜଣଙ୍କୁ ହାତରୁ ବାଇଗଣଟି ଖସି ଯାଇଥିଲା । ବାଇଗଣକୁ ଧରିବା ପାଇଁ ଜଣେ ପିଲା ଗଣ୍ଡ ଭିତରକୁ ଚାଲିଯାଇଥିଲା । ଏହାକୁ ଦେଖି ଅନ୍ୟମାନେ ତାକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏହା ଭିତରେ ସମସ୍ତେ ପ୍ରାୟ ଗଣ୍ଡ ଭିତରକୁ ଚାଲିଯାଇଥିଲେ । ୮ ଜଣଙ୍କ ଭିତରୁ ଜଣେ ପିଲା କୌଣସି ମତେ ଖସି ଯାଇ ଗାଁ ଭିତରକୁ ଯାଇ ଲୋକଙ୍କୁ ଡାକି ଥିଲା । ଗାଁ ଲୋକେ ଦଉଡି ଆସିଲାବେଳକୁ ସମସ୍ତେ ନିଖୋଜ ହୋଇଯାଇଥିଲେ ।