ସଂପର୍କୀୟଙ୍କୁ ମିଳୁନାହିଁ ମୃତଦେହ । ଏବେ ଡିଏନଏ ରିପୋର୍ଟକୁ ଅପେକ୍ଷା

97

କନକ ବ୍ୟୁରୋ : ନିଜ ପୁଅର ମୃତଦେହ ପାଇବା ପାଇଁ ପୋଲିସ ଅଧିକାରୀଙ୍କ ଆଗରେ ହାତ ପତାଉଛି ମାଆ । କହୁଛି ପୁଅକୁ ସେ ଚିହ୍ନ ସାରିଛି, ଟଙ୍କା ପଇସା କିଛି ଦରକାର ନାହିଁ । ପୁଅର ମୃତଦେହ ତାକୁ ଦେଇ ଦିଆଯାଉ । ଆତ୍ମୀୟ ସ୍ୱଜନଙ୍କ ମୃତଦେହ ପାଇଁ ଅପେକ୍ଷା କରିବା କେତେ ଯେ କଷ୍ଟ, ଏମ୍ସରେ ଜଗି ରହିଥିବା ଏହି ସଂପର୍କୀୟଙ୍କ ଠାରୁ କିଏ ଅଧିକ ବୁଝି ପାରିବ । ଏମ୍ସରେ ଚିହ୍ନଟ ହୋଇନଥିବା ୮୨ଟି ମୃତଦେହ ସଂରକ୍ଷିତ କରି ରଖାଯାଇଛି । ମୃତଦେହକୁ ଦେଖି ଚିହ୍ନଟ କରିବା ମୁସ୍କିଲ ହେଉଥିବାରୁ ଓ ଗୋଟିଏ ମୃତଦେହର ଏକାଧିକ ଦାବିଦାର ଥିବାରୁ ଡିଏନଏ ଟିପୋର୍ଟକୁ ମୃତଦେହ ଚିହ୍ନଟର ଶେଷ ଉପାୟ ଭାବେ ଗ୍ରହଣ କରାଯାଇଛି । ଆଉ ରିପୋର୍ଟକୁ ଅପେକ୍ଷା କରି ଏମ୍ସରେ ଜଗି ରହିଛନ୍ତି ମୃତକଙ୍କ ସଂପର୍କୀୟ ।

ଦୁର୍ଘଟଣା ପରେ ମୃତଦେହର ନମୁନା ସଂଗ୍ରହ କରାଯାଇଥିଲା । ଗୋଟିଏ ମୃତଦେହର ଏକାଧିକ ଦାବିଦାର ଆସିବା ପରେ ସଂପର୍କୀୟଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ, ଡିଏନଏ ପରୀକ୍ଷା ପାଇଁ ଦିଲ୍ଲୀ ପଠାଯାଇଛି । କୁହାଯାଉଛି ରିପୋର୍ଟ ଆସିବାକୁ ୫ରୁ ୭ ଦିନ ସମୟ ଲାଗିବ । ଆଉ ରିପୋର୍ଟ ଆସିବା ଯାଏଁ ସଂପର୍କୀୟଙ୍କୁ ମୃତଦେହ ନେବା ପାଇଁ ଅପେକ୍ଷା କରିବାକୁ ହିଁ ପଡିବ । ତେଣୁ ପ୍ରଶ୍ନ ଉଠୁଛି ଓଡିଶାରେ କାହିଁକି ନାହିଁ ଡିଏନଏ ପରୀକ୍ଷା ବ୍ୟବସ୍ଥା? ଯଦି ବାହାରକୁ ପଠାଯାଉଛି, ତେବେ ରିପୋର୍ଟ ଆସିବାରେ ଏତେ ଡେରି କାହିଁକି ହେଉଛି? କେତେ ଦିନ ଅପେକ୍ଷା କରିବେ ସଂପର୍କୀୟ? କେତେ ଦିନ ସଂରକ୍ଷିତ ରଖାଯାଇପାରିବ ମୃତଦେହ?

ବାହାନଗା ଦୁର୍ଘଟଣାର ପ୍ରାୟ ୮ ଦିନ ପରେ ପ୍ରିୟଜନକୁ ହରାଇବା ଦୁଃଖଠୁ ମୃତଦେହ ପାଇବା ପାଇଁ ଅପେକ୍ଷା କରିବା ଦୁଃଖ ବଳି ଯାଇଛି ।