ରେଳବାଇର ନୂଆ ମାର୍ଗଦର୍ଶିକା । “ବିଳମ୍ବ ଅପେକ୍ଷା ସୁରକ୍ଷାକୁ ଦିଅ ଗୁରୁତ୍ୱ ”

1,309

କନକ ବ୍ୟୁରୋ : ବାହାନଗା ରେଳ ଦୁର୍ଘଟଣା ପରେ, ରେଳ ସୁରକ୍ଷାକୁ ଗୁରୁତ୍ୱ ଦେଇଛି ବିଭାଗ । ଏଥିପାଇଁ ରେଳବାଇ ବୋର୍ଡ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ରେଳବୋର୍ଡର ଭିତିଭୂମି ସଦସ୍ୟ ରୂପ ନାରାୟଣ ସୁନକାର ରେଳ ଧାରଣାର ସୁରକ୍ଷା ନେଇ ବିଭିନ୍ନ ଜୋନର ଜେନେରାଲ ମ୍ୟାନେଜରଙ୍କୁ ମାର୍ଗଦର୍ଶିକା ଜାରି କରିଛନ୍ତି । ଏଥିରେ ରେଳ ଚଳାଚଳ କ୍ଷେତ୍ରରେ ସମୟାନୁବର୍ତିତା ଅପେକ୍ଷା ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି ।
ନୁୂଆ ମାର୍ଗଦର୍ଶିକା..
– ରକ୍ଷଣାବେକ୍ଷଣ ପାଇଁ ନିୟୋଜିତ କ୍ଷେତ୍ର ଅଧିକାରୀ କେବଳ ସେହି କାର୍ଯ୍ୟରେ ସମୟ ଦେବେ ଓ ଅଧିକାଂଶ ସମୟ ଫିଲ୍ଡରେ ରହିବେ
– ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ସମୟାନୁବର୍ତ୍ତିତା ପାଳନ କରିବେ
– କୌଣସି ଇଂଜିନିୟର ମରାମତି ବେଳେ ସର୍ଟକଟ୍ ବା ସହଜ ଉପାୟ ଅବଲମ୍ବନ ନକରିବା ଉପରେ ଗୁରୁତ୍ୱ ଦେବେ
– ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ବେଳେ ଆବଶ୍ୟକ ଅନୁଯାୟୀ ଯଥେଷ୍ଟ ସମୟ ପାଇଁ ରେଳ ଚଳାଚଳ ବନ୍ଦ କରାଯାଇପାରିବ
– ଯନ୍ତ୍ରୀ ବା ଶ୍ରମିକ କେମିତି ବିନା କୌଣସି ଦ୍ୱିଧାରେ କାମ କରିପାରିବେ, ସେହି ଅନୁସାରେ ମରାମତି ପାଇଁ ସମୟ ନିର୍ଦ୍ଧାରଣ କରାଯିବ
– ବରିଷ୍ଠ ଅଧିକାରୀମାନେ ଫିଲ୍ଡକୁ ଯାଇ ତଦାରଖ କରିବା ସହ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କୁ ମାର୍ଗଦର୍ଶନ କରିବେ
– ମୌସୁମୀ ଋତୁ ପୂର୍ବରୁ ପ୍ରତିଶେଧମୂଳକ ବ୍ୟବସ୍ଥା ତୁରନ୍ତ ଗ୍ରହଣ କରାଯିବ

ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ରେଳ ବିଭାଗକୁ ଚାରି ଆଡୁ ସମାଲୋଚନା କରାଯାଉଛି । କେମିତି ସୁରକ୍ଷିତ ଭାବେ ଟ୍ରେନ୍ ଚଳାଚଳ କରିବ ତା ଉପରେ ଭାରତୀୟ ରେଳବାଇ ଗୁରୁତ୍ୱ ଦେଉନଥିବା ବିରୋଧୀ ଅଭିଯୋଗ କରିଛନ୍ତି । ବିଶେଷଜ୍ଞମାନେ ମଧ୍ୟ ଦ୍ରୁତ ଗତି ନୁହେଁ, ସୁରକ୍ଷିତ ଟ୍ରେନ୍ ଯାତ୍ରା ନିଶ୍ଚିତ କରିବାକୁ ରେଳବାଇକୁ ପରାମର୍ଶ ଦେଇଛନ୍ତି ।