ଆଇଆଇଟି କାନପୁରର ଆକଳନ: ଜାନୁଆରୀ ମଧ୍ୟଭାଗରେ ଦିଲ୍ଲୀ ଓ ମୁମ୍ବାଇରେ ଶୀର୍ଷ ଛୁଇଁପାରେ ସଂକ୍ରମଣ । ଦେଶରେ ଦିନକୁ ଆସିପାରେ ୮ ଲକ୍ଷ ମାମଲା

143

କନକ ବ୍ୟୁରୋ: ବିଭିନ୍ନ ମଡେଲର ଯାହା ଆକଳନ କରଯାଇଥିଲା ଠିକ୍ ସେହି ଅନୁସାରେ ମାଡି ଚାଲିଛି କରୋନା ସଂକ୍ରମଣ । ଦେଶ ଓ ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ଦିନକରେ ୧ ଲକ୍ଷ ୫୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ମଧ୍ୟ ପାଞ୍ଚ ହଜାର ମୁହାଁ ହୋଇଛି ଦୈନିକ ସଂକ୍ରମଣ ସଂଖ୍ୟା । ଆଉ ସଂକ୍ରମଣ ଯେଉଁ ହାରରେ ବଢ଼ୁଛି ତାକୁ ଦେଖିଲେ ଦେଶରେ ସଂକ୍ରମଣ ଖୁବଶୀଘ୍ର ଶୀର୍ଷରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି ।

ରାଜ୍ୟରେ ଲଗାତର ଲମ୍ଫ ମାରିଚାଲିଛି କରୋନା ସଂକ୍ରମଣ । ରବିବାର କରୋନାର ଦୈନିକ ସଂକ୍ରମଣ ପ୍ରଥମ ଲହରର ଶୀର୍ଷକୁ ଅତିକ୍ରମ କରିଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୭୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହେଲେ ୨୦୨୦ ସେପ୍ଟେମ୍ବର ୨୫ ତାରିଖରେ ରାଜ୍ୟରେ ୪୩୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ଯାହାକି ପ୍ରଥମ ଲହରର ସର୍ବାଧିକ ଦୈନିକ ସଂକ୍ରମଣ ଥିଲା ।

ତେବେ ନଜର ପକାନ୍ତୁ ରାଜ୍ୟରେ ଗତ ୭ ଦିନର ସଂକ୍ରମଣ ହାର ଉପରେ…

ଶନିବାର ତୁଳନାରେ ରବିିବାର ୧୦୩୫ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି । ଅର୍ଥାତ ଗୋଟିଏ ଦିନରେ ୨୮.୧୩ ପ୍ରତିଶତ କେସ ବଢିଛି । କେବଳ ଜାନୁଆରୀ ମାସର ୮ ଦିନରେ ରାଜ୍ୟରେ ୧୬ ହଜାର ୩୫ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି ।ତେବେ ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରେ ଲଗାତର ସଂକ୍ରମଣ ହାର ଅଧିକ ରହିଆସୁଥିବାବେଳେ ଏହା ପଛକୁ ଥିଲା ସୁନ୍ଦରଗଡ । ରବିବାର ସମ୍ବଲପୁର ଜିଲ୍ଲା ମଧ୍ୟ ରେଡ୍ ଜୋନରେ ସାମିଲ ହୋଇଛି । ଖୋର୍ଦ୍ଧାରେ ଟିପିଆର ୧୧ ଉପରେ ଥିବାବେଳେ ସୁନ୍ଦରଗଡ ଓ ସମ୍ବଲପୁରରେ ୧୦ ଉପରେ ରହିଛି । କଟକ ଓ ଝାରସୁଗୁଡା ୟେଲୋ ଜୋନକୁ ଆସିଯାଇଥିବାବେଳେ ଦୁଇ ଜିଲ୍ଲାର ଟିପିଆର ୫ ଉପରେ ଅଛି ।

ଅନ୍ୟପଟେ ଦେଶରେ ମଧ୍ୟ ନୂଆ ଶୀର୍ଷକୁ ଛୁଇଁଛି ଦୈନିକ କରୋନା ସଂକ୍ରମଣ । ରବିବାର ମୋଟ୍ ୧ ଲକ୍ଷ ୫୯ ହଜାର ୬୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର ଅପେକ୍ଷା ସଂକ୍ରମଣ ୧୧ ପ୍ରତିଶତ ବଢିଛି । ମହାରାଷ୍ଟ୍ରରେ ସର୍ବାଧିକ ୧୦୦୯ ଏବଂ ଦିଲ୍ଲୀରେ ୫୧୩ଟି ମାମଲା ଚିହ୍ନଟ ହୋଇଛି । ଏଥିସହ ଦେଶରେ ଦୈନିକ ସଂକ୍ରମଣ ହାର ୧୦.୨୧ ପ୍ରତିଶତ ଓ ସାପ୍ତାହିକ ସଂକ୍ରମଣ ହାର ୬.୭୭ ପ୍ରତିଶତରେ ପହଞ୍ଚିିଛି । ତେବେ ସଂକ୍ରମଣର ହାରକୁ ଦେଖିଲେ ଲାଗୁଛି ଏହା ଖୁବଶୀଘ୍ର ଶୀର୍ଷ ଛୁଇଁପାରେ ।

ସୂତ୍ର ମଡେଲ ଆଧାରରେ ଆଇଆଇଟି କାନପୁରର ପ୍ରଫେସର ମନିନ୍ଦର ଅଗ୍ରୱାଲ ଆକଳନ କରିଛନ୍ତି ଯେ, ଦିଲ୍ଲୀ, ମୁମ୍ବାଇ ଭଳି ସହରରେ ଜାନୁଆରୀ ମଧ୍ୟ ଭାଗରେ ଶୀର୍ଷ ଛୁଇଁପାରେ ସଂକ୍ରମଣ । ଏପରିକି ଏହା ଦ୍ୱିତୀୟ ଲହରର ଦୁଇଗୁଣା ହେବ ଅର୍ଥାତ ଦେଶରେ ଦୈନିକ ୮ଲକ୍ଷ କରୋନା ମାମଲା ଆସିପାରେ । ତେବେ ସୁତ୍ର ମଡେଲ ଆଧାରରେ ଆଇଆଇଟି କାନପୁରର ଗଣିତଜ୍ଞ ପ୍ରଫେସର ମିନିନ୍ଦର ଅଗ୍ରୱାଲ କହିଛନ୍ତି ଯେ ଦ୍ୱିତୀୟ ଲହରରେ ଥିବା ପିକଠାରୁ ଏହି ଲହରରେ ଦେଶରେ ଦୈନିକ ଦୁଇଗୁଣ ଅଧିକ ସଂକ୍ରମଣ ହେବା ସମ୍ଭାବନା ରହିଛି ।

ନଜର ପକାନ୍ତୁ କାନପୁର ଆଇଆଇଟିର ଆକଳନ ଉପରେ

  • ମୁମ୍ବାଇ ଓ ଦିଲ୍ଲୀ ଭଳି ସହରରେ ଜାନୁଆରୀ ତୃତୀୟ ସପ୍ତାହ ଆଡକୁ ପିକ୍ ଛୁଇଁପାରେ ସଂକ୍ରମଣ
  • ଦେଶରେ ଫେବ୍ରୁଆରୀ ପ୍ରଥମ ସପ୍ତାହ କିମ୍ବା ତା’ ପୂର୍ବରୁ ପିକ୍ ଆସିପାରେ
  • ପିକ୍ ସମୟରେ ଆସିପାରେ ଦୈନିକ ୮ ଲକ୍ଷ ମାମଲା
  • ମାର୍ଚ୍ଚ ମଧ୍ୟଭାଗରୁ ଧୀରେ ଧୀରେ କମିବ ସଂକ୍ରମଣ
  • ୫ ରାଜ୍ୟରେ ନିର୍ବାଚନ ସଂକ୍ରମଣ ବୃଦ୍ଧିର କାରଣ ହୋଇପାରେ