ବିଜେପି ଯୁବମୋର୍ଚ୍ଚା ଆଣିଲା ସାଂଘାତିକ ଅଭିଯୋଗ। ଦିଲ୍ଲୀ ବିମାନବନ୍ଦରରେ ବିଜେଡି ବିଧାୟକଙ୍କ ତୁମୁଳ କାଣ୍ଡ!

170

କନକ ବ୍ୟୁରୋ: ସେପ୍ଟେମ୍ବର ୪ ତାରିଖ, ମୁଖ୍ୟମନ୍ତ୍ରୀଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ଦିଆଯାଇଥିଲା ଜୀବନ ବ୍ୟାପି ସାଧନା ସମ୍ମାନ । କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବିଜେଡି ବିଧାୟକ ଫେରିବା ସମୟରେ ଦିଲ୍ଲୀ ବିମାନବନ୍ଦରରେ ମଦ୍ୟପାନ କରି ତୁମୁଳକାଣ୍ଡ କରିଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଆଧାର କରି ଯୁବମୋର୍ଚ୍ଚା ସଭାପତି ଇରାଶିଶ ଆଚାର୍ଯ୍ୟ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ ଯୁକ୍ତି ରଖିଛନ୍ତି, ମଦ୍ୟପାନ କରିଥିଲେ ବିଜେଡି ବିଧାୟକ ଏବଂ ବିଜୁ ଯୁବ ଜନତା ଦଳ ସଭାପତି । ଏପରିିକି ଇଣ୍ଡିଗୋ ପାଇଲଟଙ୍କ ସହ ଯୁକ୍ତିତର୍କ କରିଥିଲେ ବିଜେଡି ବିଧାୟକ  । ଇଣ୍ଡିଗୋ ବିମାନରେ ବିଧାୟକ ଏବଂ ବିଜେଡି କର୍ମୀଙ୍କ ଲଗେଜ ଆସିଥିବାବେଳେ ସେମାନଙ୍କୁ ଆସିବାକୁ ଦିଆଯାଇନଥିଲା  ।

 ସେପଟେ  କଂଗ୍ରେସ କହିଛି, ବିଧିବ୍ୟବସ୍ଥାର ନିର୍ଣ୍ଣୟ କରୁଥିବା ବିଧାୟକ ଯଦି ଏଭଳି କାଣ୍ଡ କରନ୍ତି, ତେବେ ଏହା ନିନ୍ଦନୀୟ । ଆଉ ବିଜେପି ଓ କଂଗ୍ରେସର ଅଭିଯୋଗର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛି ବିଜେଡି । ଅଭିଯୋଗର ସତ୍ୟତା ଥିଲେ ପ୍ରମାଣ ଦିଅନ୍ତୁ ଏବଂ ଏହାକୁ ଲୋକଲୋଚନକୁ ଆଣନ୍ତୁ ବୋଲି କହିଛି ବିଜେଡି  ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ବିମାନ ଯାତ୍ରା ପାଇଁ ବୋର୍ଡିଂ ସମୟ ଶେଷ ହୋଇଯାଇଥିବା ପରେ ବିଧାୟକ ଏବଂ କର୍ମୀ ମଦ୍ୟପାନ କରି ବିମାନକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଯାହା ଫଳରେ ବିମାନ ଅଧଘଣ୍ଟା ବିଳମ୍ବରେ ଦିଲ୍ଲୀ ବିମାନ ବନ୍ଦର ଛାଡିଥିଲା  । ଏହି ଆଧାରରେ ବିଜେପି ଯୁବମୋର୍ଚ୍ଚା ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଘେରିଛି ।