ସଜେଇ ହେଉଛି ଅଯୋଧ୍ୟା: ବିମାନବନ୍ଦରଠାରୁ ଆରମ୍ଭ କରି ବସଷ୍ଟାଣ୍ଡ ଓ ରେଳଷ୍ଟେସନକୁ ଦିଆଯାଉଛି ନୂଆ ରୂପ

626

କନକ ବ୍ୟୁରୋ: ସଜେଇ ହେଉଛି ଅଯୋଧ୍ୟା । ବିମାନବନ୍ଦରଠୁ ବସଷ୍ଟାଣ୍ଡ ସହ ରେଳଷ୍ଟେସନକୁ ଦିଆଯାଉଛି ନୂଆ ରୂପ । ଦେଶବିଦେଶରୁ ଛୁଟୁଛି ଉପହାର ଓ ଦାନର ସୁଅ । ୨୨ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା । ଶେଷ ପର୍ଯ୍ୟାୟରେ ମନ୍ଦିରର ପ୍ରଥମ ମହଲା ନିର୍ମାଣ କାମ ସରିଛି । ସେପଟେ ମହାରାଷ୍ଟ୍ରରୁ ଆସୁଛି ସୁନା ଖଚିତ ୧୪ଟି ଦାମୀ କବାଟ ।

ଆଉ କିଛି ଦିନର ଅପେକ୍ଷା । ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲଳଲାଙ୍କ ପ୍ରାଣପ୍ରତିଷ୍ଠା ହେବ । ଏନେଇ ଅଯୋଧ୍ୟାରେ ଚାଲିଛି ଜୋରଦାର ପ୍ରସ୍ତୁତି । ଗୋଟେ ପଟେ ମନ୍ଦିରର ପ୍ରଥମ ମହଲା କାମ ଅନ୍ତିମ ପର୍ଯ୍ୟାୟରେ ପହଁଚିଥିବାବେଳେ ଅନ୍ୟପଟେ ସାରା ସହରକୁ ନୂଆ ବୋହୁ ପରି ସଜା ଯାଉଛି । ଅଯୋଧ୍ୟାରେ ପହଁଚିବେ ଅନେକ ଭିଆଇପି ଓ ଭିଭିଆଇପି ଅତିଥି ଓ ଶ୍ରଦ୍ଧାଳୁ । ତେଣୁ ଅର୍ନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ନିର୍ମାଣ କରାଯାଇଛି । ଏହାର ନା ରହିଛି ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ ଅର୍ନ୍ତଜାତୀୟ ବିମାନବନ୍ଦର । ତେବେ ଉଡାଣ ପୂର୍ବରୁ ଟ୍ରାଏଲ ରନ ସଫଳ ହୋଇଛି । ସେହିପରି ରେଳଷ୍ଟେସନ ଗୁଡିକୁ ପୁର୍ନନିର୍ମାଣ କରାଯିବ ସହ ହିନ୍ଦୁ ସଂସ୍କୃତି, ପରମ୍ପରା, ଐତିହ୍ୟକୁ ଚିତ୍ର ଆକାରରେ ସ୍ଥାନ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଡିସେମ୍ବର ୩୦ରେ ଉଭୟ ବିମାନବନ୍ଦର ଓ ରେଳଷ୍ଟେସନ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

ସେପଟେ ଭବ୍ୟ ମନ୍ଦିରରେ ଲାଗିବ ମହାରାଷ୍ଟ୍ରରୁ ଆସିବାକ ଥିବା ଧାତୁ ଓ ସୁନାର ଖଚିତ କବାଟ । ସୂଚନା ଅନୁସାରେ ୧୪ଟି ଦାମୀ କବାଟ ନିର୍ମାଣ କରିଛନ୍ତି ମହାରାଷ୍ଟ୍ରର କୁଶଳୀ କାରିଗର । ପ୍ରଭୁ ଶ୍ରୀରାମଙ୍କ ପାଇଁ ଦେଶ ବିଦେଶରୁ ଦାନ ଓ ଉପହାରର ସୁଅ ଛୁଟୁଛି । କିଏ ଅର୍ଥ ଆକାରରେ ଦାନ ଦେଉଛି ତ ପୁଣି କିଏ ସୁନା ରୁପା ଗହଣା ଅଳଙ୍କା ପଠାଉଛି । ମିଳିଥିବା ସୂଚନା ଅନୁସାରେ ନେପାଳ ଜନକପୁରରୁ ୩ହଜାର କୁଇଁଟାଲ ଚାଉଳ ଓ ୧୧୦ ଥାଳି ଭର୍ତି ମିଠା ଉପହାର ଭାବେ ପହଁଚିଛି ।

ରହଣୀ, ଖାଦ୍ୟପାନୀୟ, ଚିକିତ୍ସା, ଶୌଚାଳୟ ସହ ଅସ୍ଥାୟୀ ଶିବିର ବନ୍ଦୋବସ୍ତ କରାଯାଇଛି । ସେପଟେ ହୋଟେଲ ଗୁଡିକର ପ୍ରି-ବୁକିଂ ବନ୍ଦ କରିଛନ୍ତି ରାଜ୍ୟ ସରକାର । କାରଣ ଏଠାରେ ଆମନ୍ତ୍ରିତ ଅତିଥି ରହିବେ । ଜାନୁଆରୀ ପ୍ରଥମ ସପ୍ତାହର ପ୍ରାଣପ୍ରତିଷ୍ଠ ଉତ୍ସବ ପାଇଁ ୪ଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ୨୩ ତାରିଖଠୁ ରାମଲାଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।ବହୁ ପ୍ରତିକ୍ଷିତ ଦିନକୁ ଚାତକ ପରି ଚାହିଁ ବସିଛନ୍ତି ଶ୍ରଦ୍ଧାଳୁ ।

ଉତ୍ସବକୁ ଅଧିକ ସ୍ମରଣୀୟ ଓ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଲେଜରଲାଇଟ ଶୋ ପ୍ରଦର୍ଶନ କରାଯିବ । ଜାନୁଆରୀ ୨୨ରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଓ ଭିଆଇପି ଏବଂ ଭିଭିଆଇପି ଅତିଥିଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଉଛି ।ରାଜନୀତି, ଶିଳ୍ପପତି, କଳାକାରଙ୍କ ସହ ଅନେକ ଜଣାଶୁଣା ତଥା ବିଶିଷ୍ଠ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଛି ।