ଗାଜାର ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ । ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ । 

130

କନକ ବ୍ୟୁରୋ: ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ପୁଣି ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ । ଫଳରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଛି । ମୃତକଙ୍କ ମଧ୍ୟରେ ୧୨ ଜଣ ମହିଳା ଏବଂ ୭ ଶିଶୁ ରହିଛନ୍ତି । ରବିବାର ବିଳମ୍ବିତ ରାତିରେ ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଗାଜା ସ୍ଥିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଏକ ବିବୃତି ଜାରି କରି କହିଛି, ରବିବାର ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଛି, ଯେଉଁଥିରେ୭୦ ଜଣଙ୍କ ମୃତ୍ୟୁ ହୋଇଛି । ଆକାଶମାର୍ଗରୁ ଶରଣାର୍ଥୀ ଶିବିର ଉପରେ ଆକ୍ରମଣ କରିଛି ଇସ୍ରାଏଲ ସେନା । ଏହି ଆକ୍ରମଣ ଯୋଗୁଁ ମୃତକଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ତେବେ ଇସ୍ରାଏଲ-ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ନାଁ ନେଉନି । କ୍ରମାଗତ ଇସ୍ରାଏଲର ଆକ୍ରମଣ ଯୋଗୁଁ ୨୦ ହଜାରରୁ ଅଧିକ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ହୋଇସାରିଲାଣି । ସେପଟେ ଏୟାରଷ୍ଟ୍ରାଇକ୍ ନେଇ ଇସ୍ରାଏଲ ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।