ଅସୁସ୍ଥ ଅଛି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା: ଶରୀରର ଆଭ୍ୟନ୍ତରୀଣ ଅଙ୍ଗରୁ ହେଉଛି ରକ୍ତସ୍ରାବ

346

କନକ ବ୍ୟୁରୋ: ସରୁନି କୁନିଶିଶୁର ଦୁଃଖ । ଏବେ ବି ଯନ୍ତ୍ରଣାରେ ଛଟପଟ ହେଉଛି ସମ୍ବଲପୁର ରେଙ୍ଗାଲିରେ ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ । ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିଲେ ବି ସୁସ୍ଥ ହୋଇନି । ଆଗାମୀ ୩ ଦିନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଡାକ୍ତର ।

ଯେଉଁ ନିଷ୍ପାପ ଛୁଆ ଭାଗ୍ୟରେ ଏତେ ଯନ୍ତ୍ରଣା ଥିଲା, ସେଇ କୁନି ଝିଅର କଷ୍ଟଟିକେ ଲାଘବ ହୋଇଛି ସତ, କିନ୍ତୁ ଯନ୍ତ୍ରଣା ସଂପୂର୍ଣ୍ଣ ଯାଇନି । ସାତ ଘଂଟାର ସଂଘର୍ଷ ପରେ ଜୀବନ ସିନା ବଂଚିଯାଇଛି, ସଂଘର୍ଷ କିନ୍ତୁ ଯେମିତି ଜାରି ରହିଛି । ସେଦିନ ବୋରୱେଲ ପାଇପ୍ ଭିତରେ ଛଟପଟ ହେଉଥିଲା କୁନି, ଏବେ ହସ୍ପିଟାଲ ବେଡ୍ରେ ସଂଗ୍ରାମ କରୁଛି ।

କମିନି ‘କୁନି’ର କଷ୍ଟ
ଆଗାମୀ ୩ଦିନ ଗୁରୁତ୍ୱପୂର୍ଣ୍ଣ
ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ‘କୁନି’ର
– ସ୍ୱାସ୍ଥ୍ୟ ସ୍ଥିର ଅଛି, କିନ୍ତୁ ସୁସ୍ଥ ହୋଇନି
– ‘କୁନି’ର ଆଭ୍ୟନ୍ତରୀଣ ରକ୍ତସ୍ରାବ ହେଉଛି
– ଅଲଟ୍ରାସାଉଣ୍ଡ ରିପୋର୍ଟରୁ ଜଣାପଡ଼ିଛି
– ଶରୀରର ସାରା ଆହତ ଲାଗିଛି
– ଆଗାମୀ ୩ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ
– ଶିଶୁ ଭବନ ଯୋଗାଯୋଗରେ ଅଛନ୍ତି ଡାକ୍ତର
– ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳର ତତ୍ୱାବଧାନରେ ଚିକିତ୍ସା ଚାଲିଛି

ଯଦିଓ ବର୍ତମାନ କୁନିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି, ତଥାପି ଆବଶ୍ୟକ ସ୍ଥଳେ କଟକ ଶିଶୁ ଭବନ ସହ ପରାମର୍ଶ କରାଯାଉଛି । ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଛି । କୁନି ସୁସ୍ଥ ହେଲା ପରେ ତା’ର ପୌଷ୍ୟ ଗ୍ରହଣ ପ୍ରକ୍ରିୟା କରାଯିବ ବୋଲି ସୂଚନା ଦିଆଯାଇଛି ।

ରେଙ୍ଗାଲି ଲାରିପାଲି ବୋରୱେଲରେ ପଡ଼ିବାର ୭ ଘଂଟା ପରେ ଉଦ୍ଧାର ହୋଇଥିଲା କୁନି ଝିଅଟି । କୁନିକୁ ଉଦ୍ଧାର କରି ଚିକିତ୍ସା ବୁର୍ଲା ଭୀମସାରରେ ଭର୍ତି କରାଯାଇଥିଲା । ଯେଉଁଠି ଏବେ ବି ତାର ଚିକିତ୍ସା ଚାଲିଛି ।