ଚାଷୀ ସମସ୍ୟାକୁ ନେଇ କମ୍ପିଲା ବିଧାନସଭା। ରାଜଧାନୀ ରାଜରାସ୍ତାରେ ହଳଲଙ୍ଗଳ ଧରି ପ୍ରତିବାଦ କଲେ ବିଜେପି ନେତା, କର୍ମୀ ଓ କୃଷକ।

58

କନକ ବ୍ୟୁରୋ: ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭାରୁ ରାଜରାସ୍ତା, ସବୁଠି ପ୍ରତିବାଦ କରିଛି ବିଜେପି । ବିଧାନସଭା ଭିତରେ ଚାଷୀ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ । ହାତରେ ପ୍ଲାକାର୍ଡ ଧରି, ନାରାବାଜି କରିବା ସହ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଥିଲେ ବିଜେପି ସଦସ୍ୟ । ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିବା ପରେ ଗୃହ ବାହାରକୁ ଆସି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ଧାରଣାରେ ବସିଥିଲେ । ରାଜ୍ୟ ସରକାରଙ୍କୁ ଚାଷୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ନାରାବାଜି କରିଥିଲେ । ଗୀତ ଗାଇ ପ୍ରତିବାଦ ଜଣାଇଛନ୍ତି ।ଧାରଣା ଦେଇଥିବା ବିଜେପି ବିଧାୟକଙ୍କୁ ଗୃହକୁ ଫେରିଯିବା ପାଇଁ ଶାସକ ଦଳ ବିଧାୟକ ବୁଝାଇଥିଲେ ବି ଜିଦରେ ଅଟଳ ରହିଥିଲେ ବିଜେପି ସଦସ୍ୟ ।

ବିଧାନସଭାରେ ଚାଷୀ ତାତି ଭିତରେ ରାଜରାସ୍ତାରେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ବିଜେପି ନେତା, କର୍ମୀ ଓ କୃଷକ । ରାଜଧାନୀ ରାସ୍ତା ଉପରେ ଶଗଡ ଓ ଟ୍ରାକ୍ଟର ଚଳାଇ ପ୍ରତିବାଦ କରିଛନ୍ତି । ଆନ୍ଦୋଳନକାରୀମାନେ ଚାଷୀ ବେଶରେ ଆସି ଟ୍ରାକ୍ଟର ଚଳାଇ, ପ୍ରତିବାଦ କରିଥିଲେ । ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ବିଜେପି ପାର୍ଟି ଅଫିସରୁ ବାହାରି, ଲୋୟର ପିଏମଜି ପର୍ଯ୍ୟନ୍ତ ଯାଇଥିଲେ ।

ବିଜେପି ପକ୍ଷରୁ କୁହାଯାଇଛି, ରାଜ୍ୟରେ ପ୍ରାୟ ୮୦ % ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ଦୀର୍ଘ ୨୩ ବର୍ଷ ଶାସନକାଳ ଭିତରେ ବିଜେଡି ସରକାର ଚାଷୀଙ୍କ ପାଇଁ କୌଣସି ବ୍ୟବସ୍ଥା ନକରିବା ଲଜ୍ଜାର କଥା । ସରକାର ମାଳମାଳ ଯୋଜନା କରୁଥିବା ବେଳେ ଗାଁରେ ଏହି ସବୁ ଯୋଜନା ପହଞ୍ଚିପାରୁନାହିଁ । ଚାଷୀ ସେମାନଙ୍କ ହକ୍ ପାଇଁ ଦାବି କରୁଥିବା ବେଳେ ମନ୍ତ୍ରୀ ପଦ୍ମପୁର ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୨୦୦ କୋଟି ଟଙ୍କାର ଇନପୁଟ୍ ସବସିଡ୍, କିଏ ପାଇବ ଏବଂ କେଉଁ ଆଧାରରେ ପାଇବ ତାହା ସାର୍ବଜନୀନ କରାଯାଉ ।

ଚାଷୀ ସମସ୍ୟାକୁ ନେଇ ବିଜେପିର ପ୍ରତିବାଦକୁ ରାଜନୈତିକ ଷ୍ଟଂଟ ବୋଲି କହିଛନ୍ତି ବିଜେଡି ଓ କଂଗ୍ରେସ । ପଦ୍ମପୁର ନିର୍ବାଚନ ପାଇଁ ବିଜେପିର ଏହା ଚାଲ ବୋଲି କହିଛନ୍ତି ଉଭୟ ଦଳ । ରାଜଧାନୀରେ ଚାଷୀ ତାତି ଭିତରେ ଟୋକନ ଅବସ୍ଥାକୁ ନେଇ ବରଗଡରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଖରିତ ଋତୁ ଧାନ କିଣା ପକ୍ରିୟା ଆରମ୍ଭରୁ ଟୋକନ ସମସ୍ୟା ଦେଖା ଯିବାକୁ ନେଇ ରାସ୍ତା ଉପରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି ଓଡିଶା କୃଷକ ରାଜ୍ୟ କୃଷକ ସଂଗଠନର ଚାଷୀ ।