ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି, ୨୦୨୩ରେ ପଦ୍ମପୁର ପାଇବ ଜିଲ୍ଲାର ମାନ୍ୟତା। ମାରାଥନ ପ୍ରଚାର କରି କେନ୍ଦ୍ର ବିରୋଧରେ ବର୍ଷିଲେ ବିଜେଡି ସୁପ୍ରିମୋ ।

212

କନକ ବ୍ୟୁରୋ: ୨୦୨୩ରେ ପଦ୍ମପୁର ପାଇବ ଜିଲ୍ଲାର ମାନ୍ୟତା । ପ୍ରଚାର ବେଳେ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ । ପଦ୍ମପୁର ନିର୍ବାଚନମଣ୍ଡଳୀରେ ୩ଟି ଜନସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ସଫଳତା ବଖାଣିବା ସହ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ । ଜିଲ୍ଲାର ମାନ୍ୟତା ଲାଗି ପଦ୍ମପୁରବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ପଦ୍ମପୁର ଉପନିର୍ବାଚନକୁ ହାଲୁକାରେ ନନେଇ ପ୍ରଚାରକୁ ଜୋରଦାର କରିଛି ବିଜେଡି । ଅନ୍ୟ ଉପନିର୍ବାଚନରେ ଭର୍ଚୁଆଲ୍ ରାଲି କରି ଭୋଟ ନିବେଦନ କରୁଥିବା ବେଳେ ପଦ୍ମପୁର ପ୍ରଚାର ପାଇଁ ନିଜେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ପଦ୍ମପୁର ଗସ୍ତ ଓ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିବା ପରେ ଆକ୍ରମଣାତ୍ମକ ଭଙ୍ଗୀରେ ଏହାର ଜବାବ ଦେଇଛନ୍ତି ନବୀନ । କେନ୍ଦ୍ର ସରକାରକୁ ଟାର୍ଗେଟ କରି କହିଛନ୍ତି, ମିଛକଥା କହି ଲୋକଙ୍କୁ ଭୂଆଁ ବୁଲାଇଛନ୍ତି ବିଜେପି ନେତା । କଟାକ୍ଷ କରି ନବୀନ ପ୍ରଶ୍ନ କରିଛନ୍ତି –
ପଦ୍ମପୁର ରେଳ ଷ୍ଟେସନ କେଉଁଠି?
ଧାନ କାହିଁକି କିଣୁନି ଏଫସିଆଇ?
ଏମଏସପି ଦି’ଗୁଣା କାହିଁକି ହୋଇନାହିଁ?
ଚାଷୀଙ୍କୁ ସାର କାହିଁକି ମିଳୁନି?
ସୁନା ଉପରେ ୩ ପ୍ରତିଶତ ଜିଏସଟି ଥିବାବେଳେ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି କାହିଁକି?

ଫସଲ ବୀମା, ବାସଗୃହ ଆଦି ପ୍ରସଙ୍ଗରେ କେନ୍ଦ୍ର ଅବହେଳା ନେଇ ଅଭିଯୋଗ କରିଛନ୍ତି ନବୀନ । ପଦ୍ମପୁର ଚାଷୀଙ୍କ ଫସଲବୀମା କେନ୍ଦ୍ର ନିକଟରେ ୧୮ମାସ ହେଲା ପଡିରହିଥିଲା ହେଲେ ଚାଷୀ ଆନ୍ଦୋଳନ ପରେ କେନ୍ଦ୍ରର ନିଦ ଭାଙ୍ଗିଲା ବୋଲି କହିଛନ୍ତି ବିଜେଡି ସୁପ୍ରିମୋ । ଏପଟେ ରାଜ୍ୟ ସରକାରଙ୍କ ଉପଲବ୍ଧି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ନବୀନ । କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ, ଚାଷୀଙ୍କ ପାଇଁ ୨୦୦ କୋଟିର ଇନପୁଟ ସବସିଡ ଘୋଷଣା କରାଯାଇଛି । ଆଚରଣ ବିଧି ହଟିବା ପରେ ଏହି ସବସିଡ୍ ଚାଷୀଙ୍କ ମିଳିବ । ବର୍ଷା ସିଂ ବରିହାଙ୍କୁ ଭୋଟ ଦେବା ପାଇଁ ଅପିଲ କରିବା ସହ ବିଜେଡି ସୁପ୍ରିମୋ କହିଛନ୍ତି, ସେ ସବୁବେଳେ ଲୋକଙ୍କ ସୁଖଦୁଃଖରେ ରହିଛନ୍ତି । ମାଆମାନଙ୍କୁ ଉଦ୍ୟୋଗୀ କରିବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ।

ନବୀନଙ୍କ ନିର୍ବାଚନୀ ସଭାକୁ ସଫଳ କରିବା ପାଇଁ ପୂରା ଜୋର ଲଗାଇ ଦେଇଥିଲା ବିଜେଡି । ନର୍ବାଚନୀ ସଭାରେ ପୁଣି କାନ୍ଦିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ପଦ୍ମପୁର ବିକାଶ ଧାରାକୁ ଆଗକୁ ନେବା ପାଇଁ ତାଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ଏପଟେ ନବୀନଙ୍କ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ । ସେମାନଙ୍କ ଅଭିଯୋଗ, ନିର୍ବାଚନ ବେଳେ ସବୁ କଥା ମନେ ପଡ଼େ । ହେଲେ ପଦ୍ମପୁରର ବିକାଶ ପାଇଁ କିଛି ନାହାନ୍ତି ରାଜ୍ୟ ସରକାର ।