ମାଲକାନଗିରି ଲଘୁ ଖଣିଜ ପଦାର୍ଥ ଟେଣ୍ଡର ମାମଲା । ନାକଚ ହେଲା ଆନ୍ଧ୍ର କମ୍ପାନୀର ସଲଭେନ୍ସି ସାର୍ଟିଫିକେଟ । ଅନିୟମିତତା ଅଭିଯୋଗ ଆସିବା ପରେ ଜିଲ୍ଲାପାଳଙ୍କ ନିଷ୍ପତି

60

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ଲଘୁ ଖଣିଜ ପଦାର୍ଥ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ମାମଲାରେ ନୁଆ ମୋଡ ଆସିଛି । ଭୁଲ ତଥ୍ୟ ଦେଇ ଆନ୍ଦ୍ରର ଜଣେ ଠିକାଦାର ଚାଭା ବେଣୁଗୋପାଲ କୋଟିଏ ଟଙ୍କା ର ସଲଭେନ୍ସି ସାର୍ଟିିଫିକେଟ ହାତେଇ ଥିଲେ  । ମୋଟୁ ଆରଆଇ ଓ ତହସିଲ କାର୍ଜ୍ୟାଳୟ ପକ୍ଷରୁ ଚାଭା ବେଣୁଗୋପାଲଙ୍କ ୫ କୋଟି ଟଙ୍କା ର ସମ୍ପତି ଥିବା ନେଇ ରିପୋର୍ଟ ପ୍ରସ୍ତୁତ କରା ଯାଇ ଥିଲା । ଆଉ ସେଇ ସଲଭେନ୍ସି ସାର୍ଟିଫିକେଟ ଜରିଆରେ ବେଆଇନ ଭାବେ କୋଟିଏ ରୁ ଉର୍ଧ ଟଙ୍କା ର ୮ଟି ପ୍ରମୁଖ ଲଘୁ ଖଣିଜ ହାତେଇ ଥିଲେ ଆନ୍ଧ୍ରର ଠିକାଦାର ଚାଭା ବେଣୁଗୋପାଳ ।

ତେବେ ଏହାର ପୁଙ୍ଖାନୁପୁଙ୍ଖ ଭାବେ ଯାଁଚ କରି ସଲଭେନ୍ସି କୁ ନାକଚ କରିଛନ୍ତି ବର୍ତମାନର ଜିଲ୍ଲାପାଳ । ଆଉ ସେଇ ସଲଭେନ୍ସି ଜରିଆରେ ପାଇଥିବା ସରକାରୀ ସୁବିଧାକୁ ପ୍ରତ୍ୟାହାର କରିବା ଲାଗି ଜିଲ୍ଲାପାଳ ନିରଦେଶ ଦେଇଛନ୍ତି ।

ଆନ୍ଧ୍ରର ଏହି କମ୍ପାନୀକୁ ପୁର୍ବତନ ମାଲକାନଗିରି ଜିଲ୍ଲାପାଳ ୟେଦୁଲ୍ଲା ବିଜୟ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଥିଲା । ଏପରିକି ଟେଣ୍ଡର ବାକ୍ସ ନିଜ ଘରକୁ ନେଇ କାଗଜ ପତ୍ର ହେରଫେର କରିଥିବା ଅଭିଯୋଗ ପରେ ତାଙ୍କର ବଦଳି ହୋଇ ଥିଲା ।

ସେହି ପରି ମୋଟୁ ତହସିଲ ଅନ୍ତର୍ଗତ ପୁଶୁଗୁଡା ମୌଜାର ଯେଉଁ ସମ୍ପତିକୁ ଦେଖାଇ ସଲଭେନ୍ସି ହାସଲ କରା ଯାଇ ଥିଲା ତାହା ଅଧିକାଂଶ ସରକାରୀ ଜମି ଉପରେ ନିର୍ମାଣ କରା ଯାଉ ଥିବା ନେଇ ଅଭିଯୋଗ ହୋଇ ଥିଲା । ୩୨୬ ନମ୍ବର ଜାତୀୟ ରାଜପଥ କଡେ ପ୍ରାୟ ୨୦ ଏକର ରୁ ଏଧିକ ଜଂଗଲ ଜମି, ଗୋଚର ଓ ପତିତ ଜମି କୁ କମ୍ପାନୀ ମାଡି ବସି ପାଚେରି ନିର୍ମାଣ କରି ଥିବା ନେଇ କନକ ନ୍ୟୁଜ ରେ ଖବର ପ୍ରସାରଣ ହୋଇ ଥିଲା । ଏବେ ଜଣାପଡିଛି ୧୦ ଏକର ଜମି ଜବରଦଖଲ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ।

ଆନ୍ଧ୍ରର ଏକ କମ୍ପାନୀକୁ ଏଭଳି ଖୋଲାଖୋଲି ଅନୁକମ୍ପା ଦେଖାଇ ବେନିୟମ କାମର ପର୍ଦ୍ଦାଫାଶ ହୋଇଛି । ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି ସଂପୃକ୍ତ କମ୍ପାନୀକୁ ମିଳିଥିବା ଖଣିଲିଜ କେବେ ବାତିଲ ହେବ?