ରାସ୍ତାକାମରେ ଚାଲିଛି ବେଧଡ଼କ ହରିଲୁଟ । ସାଢ଼େ ୪ କୋଟି ରାସ୍ତା, ୪ ମାସ ମଧ୍ୟରେ ଶୋଚନୀୟ

83

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଟିକାତାଳ-କୋଦବେରଣୀ ରାସ୍ତା । କିଛି ମାସ ତଳେ ୧୦ କିଲୋମିଟରର ଏହି ରାସ୍ତାକାମ ସରିଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସାଢ଼େ ୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା । ଏବେ ଏହି ରାସ୍ତାରୁ ଉଠିଯାଇଛି ପିଚୁ । ସ୍ଥାନୀୟ ଲୋକଙ୍କ ପାଇଁ ପାଲଟିଛି ମରଣ ଯନ୍ତା । ଚାରିଚକିଆ କିମ୍ବା ଭାରିଯାନ କଥା ଛାଡନ୍ତୁ, ମୋଟର ସାଇକେଲରେ ଯିବାକୁ ଭୟ କରୁଛନ୍ତି ଲୋକ ।

ରାସ୍ତାର ଅବସ୍ଥା ଏପରି ଶୋଚନୀୟ ହୋଇଯାଇଛି ଯେ ଏଥିରେ ଯିବାଆସିବା କରିବା ସମ୍ଭବ ହେଉନାହିଁ । ରାସ୍ତା ନିର୍ମାଣ ପରେ ପାଂଚ ବର୍ଷ ପାଇଁ ରକ୍ଷଣାବେକ୍ଷଣା ଭାର ନେଇଛନ୍ତି ଠିକାଦାର । ମାତ୍ର ଏବେ ଲୋକଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ କିମ୍ବା ଏସଡିଓ ତଦାରଖ ପାଇଁ ଆସୁନାହାନ୍ତି । ଅଭିଯୋଗ ହୋଇଛି, ଠିକାଦାର ସହ ଅଧିକାରୀ ସାଲିସ କରି ବଡ଼ ଧରଧର ହେରଫେର ହୋଇଛି । ନିମ୍ନମାନର କାମ କରି ଟଙ୍କା ହଡପ କରାଯାଇଛି ।

ଏହି ରାସ୍ତା ଏବେ ପୂର୍ତ ବିଭାଗ ଅଧୀନକୁ ଚାଲି ଯାଇଛି, ତେଣୁ ମୁଣ୍ଡ ଉପରୁ ଦୋଷ ଖସାଇବାକୁ ବାଟ ଫିଟିଯାଇଛି । ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ଉଭୟ ସରକାରୀ ବାବୁ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ବି ସେମାନଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।