ଅଧିକ ଫଳପ୍ରଦ ହେଉଛି ମିଶ୍ରିତ ଟିକା । ଆଇସିଏମଆର ଗବେଷଣା କହିଲା, ମିଶ୍ରିତ ଟିକା ସୃଷ୍ଟି କରୁଛି ଅଧିକ ଆଂଟିବଡି ।

140

କନକ ବ୍ୟୁରୋ: ଦୁଇଟି ଭିନ୍ନ ଭିନ୍ନ କରୋନା ଟିକାର ମିଶ୍ରିତ ଡୋଜ୍ କିପରି ଶରୀରରେ କାର୍ଯ୍ୟ କରୁଛି, ଏ ନେଇ ଗବେଷଣା କରିଛି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ବା ଆଇସିଏମଆର । ୧୮ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଏହି ପରୀକ୍ଷା କରାଯାଇଛି । ପ୍ରଥମେ କୋଭିସିଲ୍ଡ ଡୋଜ୍ ଦିଆଯାଇଥିବା ବେଳେ ଦ୍ୱିତୀୟ ଡୋଜ୍ କୋଭାକ୍ସିନ୍ ଦିଆଯାଇଥିଲା । ସେହିପରି ଏହି ପରୀକ୍ଷାରେ ଭାଗ ନେଇଥିବା ଅନ୍ୟ ୪୦ ଜଣ ସ୍ୱେଚ୍ଛାସେବୀଙ୍କୁ କୋଭିସିଲ୍ଡର ଦୁଇଟି ଡୋଜ୍ ଦିଆଯାଇଥିଲା । ଆଉ ୪୦ ଜଣ ନେଇଥିଲେ କୋଭାକ୍ସିନ୍ର ୨ ଡୋଜ୍ ।

ତିନିଟି ସେଟ୍ରେ ସ୍ୱେଚ୍ଛାସେବୀଙ୍କୁ ବିଭକ୍ତ କରି ଗବେଷଣା କରିଥିଲା ଆଇସିଏମଆର । ପରୀକ୍ଷାରୁ ଜଣାପଡିଛି, ତିନିଟି କ୍ଷେତ୍ରରେ ପାଶ୍ୱର୍ ପ୍ରତିକ୍ରିୟା ସମାନ ରହିଛି । ଅର୍ଥାତ୍ କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ୍ ନିରାପଦ ବୋଲି ଗବେଷଣାରୁୁ ଜଣାପଡିଛି । ମିଶ୍ରିତ ଡୋଜ୍ କେବଳ ନିରାପଦ ନୁହେଁ, ଆଇସିଏମଆରର ଗବେଷଣା କହୁଛି ସମାନ ଟିକାର ଡୋଜ୍ ଅପେକ୍ଷା ମିଶ୍ରିତ ଟିକା ଅଧିକ ଆଂଟିବଡି ସୃଷ୍ଟି କରୁଛି । ନଜର ପକାନ୍ତୁ, ଆଇସିଏମଆର ଗବେଷଣା ଓ ସେଥିରୁ ମିଳିଥିବା ତଥ୍ୟ ଉପରେ ।

ଆଇସିଏମଆର ଗବେଷଣା
ପ୍ରଥମେ କୋଭିସିଲ୍ଡ ପରେ କୋଭାକ୍ସିନ୍ ଟିକା ଦିଆଯାଇଛି
ଅର୍ଥାତ୍ ପ୍ରଥମେ ଆଡେନୋଭାଇରସ୍ ଭେକ୍ଟର ପରେ ନିଷ୍କ୍ରିୟ ଭୂତାଣୁରୁ ପ୍ରସ୍ତୁତ ଟିକା ଦିଆଯାଇଥିଲା
୧୮ ଜଣ ସ୍ୱେଚ୍ଛାସେବୀଙ୍କ ଉପରେ ପ୍ରୟୋଗ କରାଯାଇଥିଲା
୪୦ ଜଣ ସ୍ୱେଚ୍ଛାସେବୀ କେବଳ କୋଭିସିଲ୍ଡ ଓ ୪୦ ଜଣ କେବଳ କୋଭାକ୍ସିନ ନେଇଥିଲେ
ସମସ୍ତଙ୍କ ଠାରେ ସମାନ ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା
କେବଳ କୋଭାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଠାରେ ଆଂଟିବଡି ହାର ଥିଲା ୧୧୧
କେବଳ କୋଭିସିଲ୍ଡ ଟିକା ଆଂଟିବଡି ସୃଷ୍ଟି କରିଥିଲା ହାରାହାରି ୮୬
ମିଶ୍ରିତ ଡୋଜ୍ ନେଇଥିବା ବ୍ୟକ୍ତିଙ୍କ ଠାରେ ଆଂଟିବଡି ହାର ୧୭୧.୪

ତେବେ ଆଇସିଏମଆର ଏହି ପ୍ରାଥମିକ ଗବେଷଣାକୁ ବିଶେଷଜ୍ଞ ଟିମ୍ ଏପର୍ଯ୍ୟନ୍ତ ସମୀକ୍ଷା କରିନାହିଁ । ଆଉ ଏହି ଗବେଷଣା ଦୁର୍ବଳତମ ଦିଗଟି ହେଉଛି ଗୋଟିଏ ଛୋଟ ଗ୍ରୁପରେ ଏହାକୁ ପରୀକ୍ଷା କରାଯାଇଛି । କାରଣ ମିଶ୍ରିତ ଟିକା ଡୋଜ୍ ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ସ୍ୱେଚ୍ଛାସେବୀ ।

ପ୍ରଥମେ କୋଭିସିଲ୍ଡ ଟିକା ପରେ କୋଭାକ୍ସିନ୍ ଟିକା ଡୋଜ ଦିଆଯାଇ ଏହି ଗବେଷଣା କରିଛି ଆଇସିଏମଆର । ଏହାକୁ ପରିବର୍ତନ କରି ଗବେଷଣା କରାଯାଇନାହିଁ । ତେବେ ଏହି ଗବେଷଣା ଏକ ବଡ଼ ଗ୍ରୁପରେ କରାଯାଇ ଅନୁଧ୍ୟାନ କରାଗଲେ, ଟିକାକରଣରେ ଏହା ପ୍ରଭାବଶାଳୀ ହୋଇପାରିବ ।