ଭୟଙ୍କର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ: ଗାଜାକୁ ଚାରିପଟୁ ଘେରି ରହିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ

216

କନକ ବ୍ୟୁରୋ: ଗାଜା ସୀମାରେ ପ୍ରସ୍ତୁତ ହୋଇ ରହିଛନ୍ତି ୧ ଲକ୍ଷରୁ ଅଧିକ ଇସ୍ରାଏଲ ସେନା । ୨୨ ଶହ ଟ୍ୟାଙ୍କ ଜରିଆରେ ଗାଜାକୁ ତିନି ଆଡୁ ଘେରି ରହିଛନ୍ତି ଏମାନେ । ହମାସ ସହ ଶେଷ ଲଢେଇ ଲଢିବା ପାଇଁ ପ୍ରସ୍ତୁତ ଇସ୍ରାଏଲ । ଯୁଦ୍ଧର ୧୦ ଦିନରେ ଶେଷ ଲଢେଇ ପାଇଁ ରଣହୁଙ୍କାର ଦେଇଛି ଇସ୍ରାଏଲ ସେନା । ଅକ୍ଟୋବର -୭ ତାରିଖ ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କରିଥିବା ହମାସ ଆତଙ୍କୀ ଅନୁଷ୍ଠାନକୁ ସମ୍ପୂର୍ଣ୍ଣ ଶେଷ କରିବା ପାଇଁ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ପୂର୍ବରୁ ଏୟାରଷ୍ଟ୍ରାଇକ୍ କରୁଥିଲା ଇସ୍ରାଏଲ, ହେଲେ ଏବ ସ୍ଥଳ ଅଭିଯାନ ପାଇଁ ରହିଛି ପ୍ରସ୍ତୁତ । ସେପଟେ ହମାସ ଇସ୍ରାଏଲ ଡିଫେନ୍ସ ଫୋର୍ସ ବା ଆଇଡିଏଫ୍ ସହ ଆହୁରି ଅଧିକ ଶକ୍ତି ସହ ମୁକାବିଲା କରିବାକୁ ଘୋଷଣା କରିଛି । ଇରାନ ଠାରୁ ସାମରୀକ ଶକ୍ତି ଆଣି, ଏବଂ ନିଜେ ଦୀର୍ଘ ଦିନ ଧରି ବମ୍, ରକେଟ୍ ପ୍ରସ୍ତୁତ କରି ଆଇଡିଏଫ୍ ବିରୋଧରେ ଲଢେଇ ଜାରି ରଖିବାକୁ ଆହ୍ୱାନ ଦେଇଛି ଆତଙ୍କୀ ସଙ୍ଗଠନ ହମାସ ।

ଏପଟେ ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଗାଜାରେ ଭୟଙ୍କର ପରିସ୍ଥିତି ଦେଖିବାକୁ ମିଳିଛି । ଧ୍ୱଂସ ସ୍ତୁପରେ ପରିଣତ ହୋଇଛି ଗାଜା ସହର । ହଜାର ହଜାର ସଂଖ୍ୟାରେ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ହୋଇଛି । ଏବେ ଇସ୍ରାଏଲ ସେନାର ଚେତାବନୀ ଭିତରେ ଉତର ଗାଜା ଛାଡି ଦକ୍ଷିଣ ଗାଜାକୁ ଚାଲିଯିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଅତିଆବଶ୍ୟକୀୟ ସାମଗ୍ରୀ ଧରି ପିଲାଛୁଆଙ୍କୁ ଧରି ପଳାଉଛନ୍ତି । ଉତର ଗାଜାରେ ଥିବା ଏବେ ବିଭିନ୍ନ ସ୍ଥାନରେ ଇସ୍ରାଏଲ ସେନା ସ୍ଥଳ ଅଭିଯାନ କରିବାକୁ ଯାଉଛି । ଫଳରେ ଦକ୍ଷିଣ ଇସ୍ରାଏଲ ଖାନ୍ ୟୁନିସ୍ ଓ ରଫାହ ଆଦି ସ୍ଥାନକୁ ଜୀବନ ବିକଳରେ ଚାଲିଯାଉଛନ୍ତି ଲୋକେ । ହେଲେ ଏହାରି ଭିତରେ ଲୋକଙ୍କୁ ନିଜ ସ୍ଥାନ ନ ଛାଡିବାକୁ ବାଧ୍ୟ କରୁଛି ହମାସ । ନିରୀହ ଲୋକଙ୍କୁ ନିଜର ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି ହମାସ ଆତଙ୍କୀ । ଗ୍ରାଫିକ୍ ଫଟୋ.. ମାଟି ତଳେ ଯେଉଁ ଟନେଲ୍ କରି ଏଠାରେ ଆଶ୍ରୟ ନେଇଛନ୍ତି ହମାସ ଆତଙ୍କୀ, ସେଠାକୁ ଯିବାର ବାଟ ସାଧାରଣ ଲୋକଙ୍କ ଘର ଓ ସ୍କୁଲ ମଧ୍ୟରେ କରାଯାଇଛି । ଯାହା ଫଳରେ ହମାସ ଉପରେ ଆକ୍ରମଣରେ ସାଧାରଣ ଲୋକଙ୍କ ମୃତ୍ୟୁ ଅଧିକ ହେଉଥିବା କହିଛି ଆଇଡିଏଫ ।

ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଗାଜା ସହର ଖାଲି କରିବାକୁ ଇସ୍ରାଏଲ ସେନା ଚେତାବନୀ ଦେଇଛି । ଆଇଡିଏଫ୍ର ସ୍ଥଳ ଅଭିଯାନ ଆହୁରି ଭୟଙ୍କର ହେବ ବୋଲି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି । ମାତ୍ର ସେପଟେ ପାଲେଷ୍ଟାଇନ୍ ନାଗରିକଙ୍କୁ ଘର ନ ଛାଡିବାକୁ ଧମକ୍ ଦେଉଛି ହମାସ । ଘର ଛାଡିଲେ ସେମାନଙ୍କୁ ହତ୍ୟା କରିବାକୁ ବି ଧମକ୍ ଦେଉଛି ।

ଗାଜା ପଟ୍ଟି ଉପରେ ଆକ୍ରମଣର ତୀବ୍ରତା ବଢ଼ାଇ ଦେଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଏଯାବତ ହମାସ୍ ଉପରେ ୬ହଜାରରୁ ଅଧିକ ରକେଟ ମାଡ଼ କରିଛି ଇସ୍ରାଏଲ । ଇସ୍ରାଏଲର ଆକ୍ରମଣରେ ପାଲେଷ୍ଟାଇନର ୨ହଜାର ୬୭୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୯ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତ । ସେହିପରି ହମାସ୍ ଆକ୍ରମଣରେ ଇସ୍ରାଏଲର ୧୪ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏସବୁ ଭିତରେ ମିଳିତ ଜାତିସଂଘ ମହାସଚିବ ଆଂଟୋନିଉ ଗୁଟେରସ ଇସ୍ରାଏଲ ଓ ଗାଜା ସମ୍ମୁଖରେ ୨ଟି ଅପିଲ ରଖିଛନ୍ତି । ବିନା କୌଣସି ସର୍ତରେ ପଣବନ୍ଦୀଙ୍କୁ ଛାଡ଼ିବାକୁ ହମାସ୍କୁ କହିଛନ୍ତି । ସେହିପରି ଗାଜା ପଟ୍ଟିରେ ନାଗରିକଙ୍କ ପାଇଁ ମାନବୀୟ ସହାୟତା ଯୋଗାଇ ଦେବାକୁ ଇସ୍ରାଏଲକୁ ନିବେଦନ କରିଛି ଜାତିସଂଘ ।