ବ୍ରାହ୍ମଣଙ୍କୁ ଭିକାରୀ କହି ଅଡୁଆରେ ଟିଭି ପ୍ରବଚକ ଜିତୁ ଦାଶ । ପୁରୀ ସିଂହଦ୍ୱାର ଥାନାରେ ମାମଲା ରୁଜୁ, ସ୍ଥିତି ଅସମ୍ଭାଳ ହେବାରୁ ମାଗିଲେ କ୍ଷମା ।

852

କନକ ବ୍ୟୁରୋ : ବ୍ରାହ୍ମଣଙ୍କ ସଂପର୍କରେ ଅପମାନ ସୂଚକ ମନ୍ତବ୍ୟ ଦେଇ ଏବେ ଅଡୁଆରେ ପ୍ରବଚକ ଜିତୁ ଦାଶ । ଓଡ଼ିଶାର ଏକ ଲୋକପ୍ରିୟ ଆଧ୍ୟାତ୍ମିକ ଚ୍ୟାନେଲରେ ପ୍ରବଚନ ଦେଉଥିବ ଜିତୁ ଦାଶ, ବ୍ରାହ୍ମଣଙ୍କୁ ଭିକାରୀ କହି ଏବେ ଅଡୁଆ ସୂତାରେ ଛନ୍ଦି ହୋଇଛନ୍ତି । ଜିତୁ ଦାଶଙ୍କ ଏହି ପ୍ରବଚନର ସେହି ବିବାଦୀୟ ଅଂଶ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ବେଳେ ଏହାକୁ ନେଇ ପୁରୀରେ ବଡ ଧରଣର ପ୍ରତିବାଦ ଦେଖିବାକୁ ମିଳିଛି । ପ୍ରବଚକ ଜିତୁ ଦାଶଙ୍କ ନାଁରେ ସିଂହଦ୍ୱାର ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି । ଆଉ ନେଡି-ଗୁଡ଼ ଯେତେବେଳେ କହୁଣୀକୁ ବୋହି ଯାଇଛି, ବାଧ୍ୟ ହୋଇ କ୍ଷମା ମାଗିଛନ୍ତି- ଟିଭି ଚ୍ୟାନେଲର ପ୍ରବଚକ ଜିତୁ ଦାସ ।

କାକୁତି-ମିନତି ହୋଇ କ୍ୟାମେରା ସାମ୍ନାରେ କ୍ଷମା ମାଗୁଥିବା, ବ୍ରାହ୍ମଣଙ୍କୁ ଦେବତା କହୁଥିବା ଏବଂ ବ୍ରାହ୍ମଣଙ୍କ ଗୋଡ଼ ତଳେ ପଡ଼ି କ୍ଷମା ମାଗୁଛି ବୋଲି କହୁଥିବା ଏହି ବ୍ୟକ୍ତିଙ୍କ ଚେହେରାକୁ ହୁଏତ ଆପଣ ଟିଭି ପରଦାରେ ଦେଖିଥିବେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି, ଜିତୁ ଦାସ । ଏକ ଘରୋଇ ଆଧ୍ୟାତ୍ମିକ ଚ୍ୟାନେଲରେ ପ୍ରବଚନ ଦିଅନ୍ତି ଏବଂ ଜଣେ ସାଧୁ ଭାବେ ଧର୍ମବାଣୀ ଶୁଣାନ୍ତି ।

କାହିଁକି ବ୍ରାହ୍ମଣଙ୍କୁ କ୍ଷମା ମାଗୁଛନ୍ତି ଜିତୁ ଦାଶ ? ଏମିତି କ’ଣ କହିଲେ ଟିଭି ପରଦାର ଏହି ପ୍ରବଚକ ? କ୍ଷମା ମାଗିବା ପଛର କାରଣ ହେଉଛି, ଜିତୁ ଦାସ ଏକ ଟିଭି ଚ୍ୟାନେଲରେ ପ୍ରବଚନ ଦେବା ସମୟରେ ବ୍ରହ୍ମଣଙ୍କୁ ଭିକାରୀ ବୋଲି କହିବାକୁ ପଛାଇ ନାହାଁନ୍ତି । ଏମିତି କି ବ୍ରାହ୍ମଣଙ୍କୁ ଅପମାନିତ କଲା ଭଳି ଅନେକ କିଛି କହିଛନ୍ତି ବୋଲି ଅଭିଯୋଗ ଉଠିଛି ।

ବ୍ରାହ୍ମଣଙ୍କୁ ନିନ୍ଦା କରୁଥିବାର ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ନେଇ ତେଜିଛି ବିବାଦ । ପୁରୀରେ ଜିତୁ ଦାସଙ୍କ ବିରୋଧରେ ପ୍ରତିବାଦ ହୋଇଥିବା ବେଳେ ସିଂହଦ୍ୱାର ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି । ଆଉ ଯେତେବେଳେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି, ବାଧ୍ୟ ହୋଇ କ୍ଷମା ମାଗିଛନ୍ତି ଜିତୁ ଦାସ । କେବଳ ସେତିକି ନୁହେଁ ଜିତୁ ଦାସ ଅନେକ ସମୟରେ ଟିଭି କ୍ୟାମେରା ସାମ୍ନାରେ ଅନ୍ଧବିଶ୍ୱାସ ପ୍ରଚାର କଲା ଭଳି ଅନେକ ଯୁକ୍ତି କରନ୍ତି ଏବଂ ଲୋକଙ୍କୁ ତାହା ପାଳନ କରିବା ପାଇଁ ପରାମର୍ଶ ଦିଅନ୍ତି ।

ଅଭିଯୋଗ ହୁଏ, ଯେ ଜିତୁ ଦାସ,

-କୁକୁରଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଘର ସାମ୍ନାରେ ନାଲି ବୋତଲ ଝୁଲାଇବାକୁ ପରାମର୍ଶ ଦିଅନ୍ତି
-ନାଲି ବୋତଲ ଝୁଲାଇଲେ ଘର ଆଖପାଖରେ କୁକୁର ମଳମୂତ୍ର ତ୍ୟାଗ କରିବେ ନାହିଁ ବୋଲି ସେ ଲୋକଙ୍କୁ ପରାମର୍ଶ ଦିଅନ୍ତି
– ଏମିତି କି କାହାକୁ ସାପ କାମୁଡ଼ି ଥିଲେ ଡାକ୍ତରଙ୍କ ପାଖକୁ ଯିବାକୁ ପରାମର୍ଶ ଦେବା ବଦଳରେ ନାବାଳକଙ୍କ ପରିସ୍ରା ପିଇବାକୁ ପରାମର୍ଶ ଦେଉଥିବା ଅଭିଯୋଗ ହୁଏ ।
– ୧୨ ବର୍ଷରୁ କମ୍ ପିଲାଙ୍କ ପରିସ୍ରା ପିଇଲେ ସାପ କାମୁଡ଼ି ଥିଲେ, ବିଷ କାଟୁ କରିବ ନାହିଁ ବୋଲି ଯୁକ୍ତି କରନ୍ତି ।

ଆଉ ଏହି ସବୁ କାରଣରୁ ଏବେ ବିବାଦରେ ଛନ୍ଦି ହୋଇଛନ୍ତି ପ୍ରବଚକ ଜିତୁ ଦାସ ।