ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା । ଭାରତ ବିପକ୍ଷରେ ହେବାକୁଥିବା ମ୍ୟାଚ୍ ପୂର୍ବରୁ ଆହତ ହୋଇ ଦଳରୁ ବାଦ୍ ପଡ଼ିଲେ ଲୁଙ୍ଗି ଏନଗିଡି ।

257

କନକ ବ୍ୟୁରୋ: ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଦଳର ସମସ୍ୟା ବଢ଼ିବାରେ ଲାଗିଛି । ଫାଫ୍ ଡୁପ୍ଳେସିସ୍ ନେତୃତ୍ୱରେ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚ ପରାଜୟ ପରେ ଏବେ ଦକ୍ଷିଣ ଆଫ୍ରିକାକୁ ପୁଣି ଏକ ଝଟକା ଲାଗିଛି ଏବଂ ତାହା ପୁଣି ଦଳର ତୃତୀୟ ମ୍ୟାଚ୍ ଭାରତ ବିପକ୍ଷର ଗୋଟିଏ ଦିନ ପୂର୍ବରୁ । ଦଳର ଯୁବ ଦ୍ରୁତ ବୋଲର ଲୁଙ୍ଗି ଏନଗିଡ଼ି ଗତକାଲି ମ୍ୟାଚରେ ଆହତ ହୋଇଥିବା ଜଣାପଡ଼ିଛି । ଆଉ ଆସନ୍ତା ୫ ତାରିଖରେ ଭାରତ ବିପକ୍ଷରେ ହେବାକୁଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ବାଦ୍ ପଡ଼ିଛନ୍ତି । ଯାହା ଦଳ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି ।

ସୂଚନା ମୁତାବକ ଗତକାଲି ବାଂଲାଦେଶ ବିପକ୍ଷ ମ୍ୟାଚରେ ତାଙ୍କ ବାମଗୋଡ଼ର ମାଂସପେଶୀ ଟାଣି ହୋଇଯାଇଛି। ଏଣୁ ସେ ମାତ୍ର ୪ ଓଭର ବୋଲିଂ କରିପାରିଥିଲେ । ଆହତ ସମସ୍ୟା ଯୋଗୁ ତାଙ୍କୁ ୧୦ଦିନ ବିଶ୍ରାମ ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଟିମ୍ ମ୍ୟାନେଜମେଣ୍ଟ କହିଛନ୍ତି ।

ସେପଟେ ଏନଗିଡିଙ୍କ ଅନୁପସ୍ଥିତିରେ ଡେଲ୍ ଷ୍ଟେନ ଭାରତ ବିପକ୍ଷ ମ୍ୟାଚରେ ଖେଳିବା ବିଶେଷ ସମ୍ଭାବନା ରହିଛି । ସେହିଭଳି ଓପନର ହାସିମ ଅମଲା ମଧ୍ୟ ଫିଟ୍ ଅଛନ୍ତି। କିନ୍ତୁ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହୋଇଥିବା ଫାଫ୍ ଡୁପ୍ଲେସିଙ୍କ ଦଳ ୩ୟ ମ୍ୟାଚରେ ବୁଧବାର ଭାରତକୁ ଭେଟିବ । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଦଳର ଦଳର ଚିନ୍ତା ବଢ଼ିବାରେ ଲାଗିଛି ।