କମିଲା ଯୁକ୍ତ ୨ ବିଜ୍ଞାନ ପାସ୍ ହାର । ସିସିଟିଭି ଯୋଗୁଁ ଖରାପ ହେଲା ରେଜଲ୍ଟ ! ୯ଟି କଲେଜରେ ଫଳ ଶୂନ, ମନ୍ତ୍ରୀ କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

168

କନକ ବ୍ୟୁରୋ : ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଫଳ । ଚଳିତ ବର୍ଷ ୭୨ ଦଶମିକ୍ ୩୩ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଗତବର୍ଷ ତୁଳନାରେ, ଚଳିତବର୍ଷ ୪ ପ୍ରତିଶତ କମିଛି ପରୀକ୍ଷା ହାର । ସିଏଚଏସଇ ପକ୍ଷରୁ କୁହାଯାଇଛି, ସିସିଟିଭି ଯୋଗୁଁ ଏଥର ପରୀକ୍ଷା ଫଳ ପ୍ରଭାବିତ ହୋଇଛି । ଛାତ୍ରଛାତ୍ରୀ ମାନେ ଅସାଧୁ ଉପାୟ ଅବଳମ୍ବନ କରିବାରେ ବିଫଳ ହେବା ସହ ପରିଚାଳନାରେ ସ୍ୱଚ୍ଛତା ଯୋଗୁଁ ପାସ୍ ହାର କମିଛି ବୋଲି କୁହାଯାଇଛି । ଆଜି ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ଭବନରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଯୁକ୍ତ ଦୁଇ ପରୀକ୍ଷା ଫଳ ଘୋଷଣା କରିଛନ୍ତି ।

କ୍ରମାଗତ କମୁଛି +୨ ବିଜ୍ଞାନ ପାସ ହାର । ୨୦୧୮ ତୁଳନାରେ ୪ ପ୍ରତିଶତରୁ ଅଧିକ ପରୀକ୍ଷାର୍ଥୀ ଅସଫଳ । ଲଗାତାର ଦ୍ୱିତୀୟ ବର୍ଷ କମିଛି ପାସହାର । ଯୁକ୍ତ ଦୁଇ ବିଜ୍ଞାନରେ ଗତବର୍ଷ ଅପେକ୍ଷା ୪.୬୫ ପ୍ରତିଶତ ପାସ୍ ହାର ହ୍ରାସ ପାଇଛି । ଚଳିତବର୍ଷ ପାସ୍ ହାର ରହିଛି ମାତ୍ର ୭୨.୩୩ ପ୍ରତିଶତ । ତେବେ ସିଏଚଏସଇ ଅଧ୍ୟକ୍ଷ କହିଛନ୍ତି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିବାରୁ କମିଛି ପାସ ହାର ।

ପରୀକ୍ଷା ଦେଇଥିବା ୯୭ହଜାର ୭୫୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୦ହଜାର ୭୦୬ଜଣ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୦ହଜାର ୮୦୬ ଜଣ ପ୍ରଥମ ଶ୍ରେଣୀରେ, ୨୩ ହଜାର ୯୦୪ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୨୫ ହଜାର ୩୬୦ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ତେବେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ପୁଅଙ୍କ ପାସ ପ୍ରତିଶତ ୭୦ ଥିବାବେଳେ ୭୫ ପ୍ରତିଶତ ଝିଅ ଏଥର କୃତକାର୍ଯ୍ୟ ହୋଇଛନ୍ତି ।

ସେପଟେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ୬୦ ଜଣ ଛାତ୍ରଛାତ୍ରୀ । ତେବେ ଗତବର୍ଷ ଏହି ସଂଖ୍ୟା ୪୧ ରହିଥିଲା । ସେହିପରି ୨୯ଟି କଲେଜରେ ଶତପ୍ରତିଶତ ପରିକ୍ଷାର୍ଥୀ ପାସ୍ କରିଥିବା ବେଳେ ୯ଟି କଲେଜରେ ଜଣେ ବି ଛାତ୍ରଛାତ୍ରୀ ପାସ୍ କରି ପାରିନାହାନ୍ତି । ସେହିସବୁ କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ।

ଯେଉଁ ଛାତ୍ରଛାତ୍ରୀମାନେ ପୁନଃମୂଲ୍ୟାୟନ ବା ପୁନଃଯାଂଚ କରିବା ପାଇଁ ଚାହୁଁଥିବେ ସେମାନେ ଆସନ୍ତା ୬ ତାରିଖରୁ ୧୫ ଦିନ ମଧ୍ୟରେ ଆବେଦନ କରିପାରିବେ । ଯୁକ୍ତ ଦୁଇ ବିଜ୍ଞାନ ପରେ ଜୁନ ତୃତୀୟ ସପ୍ତାହରେ କଳା ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇପାରେ ବୋଲି ସୂଚନା ଦେଇଛି ସିଏଚଏସଇ ।