୨୦୨୭ ବିଶ୍ୱକପ୍ ଖେଳିବେ ତ କୋହଲି? ସଚିନ ଦେଲେ ବଡ ବୟାନ, ଜାଣନ୍ତୁ କ୍ରିକେଟର ଭଗବାନ କହିଲେ କଣ?

816

କନକ ବ୍ୟୁରୋ : ୨୦୨୩ ବିଶ୍ୱକପରେ କୋହଲିଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୩ଟି ଶତକ ଓ ୬ଟି ଅର୍ଦ୍ଧଶତକ ସହ ବିଶ୍ୱକପର ସର୍ବାଧିକ ରନ୍ ସ୍କୋରର ସାଜିଥିଲେ କୋହଲି । ବିଶ୍ୱକପ ଇତିହାସରେ ଗୋଟିଏ ସଂସ୍କରଣରେ ୭୬୫ ରନ୍ ହାସଲ କରି କୋହଲି ନୂଆ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ୨୦୨୩ ବିଶ୍ୱକପର ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ଟାଇଟଲ ମଧ୍ୟ ହାତେଇଛନ୍ତି କୋହଲି । ଏହାସତ୍ତେ୍ୱ ମଧ୍ୟ ଭାରତର ୨୦୨୩ ବିଶ୍ୱକପ୍ ଜିତିବା ସ୍ୱପ୍ନ ଅଧୁରା ରହିଥିଲା । ଫାଇନାଲ ମୁକାବିଲାରେ ଭାରତକୁ ୬ ୱିକେଟରେ ମାତ୍ ଦେଇ ବିଶ୍ୱକପ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ । ଦମଦାର ପ୍ରଦର୍ଶନ ସତ୍ତେ୍ୱ ମଧ୍ୟ ୨୦୨୭ ବିଶ୍ୱକପରେ କୋହଲି ମୈଦାନକୁ ଓହ୍ଲାଇବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ହେଉଛି । କାରଣ କୋହଲି ଏବେ ୩୫ ବର୍ଷରେ ପାଦ ଦେଇଛନ୍ତି । ୨୦୨୭ ବିଶ୍ୱକପ ବେଳକୁ ତାଙ୍କୁ ୩୯ ବର୍ଷ ହୋଇଥିବ । ତେଣୁ ୩୯ ବର୍ଷ ବୟସରେ କୋହଲି ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ବଜାୟ ରଖି ପାରିବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ । କିନ୍ତୁ କୋହଲି ଆଗାମୀ କ୍ରିକେଟ କ୍ୟାରିୟରକୁ ନେଇ ବଡ ବୟାନ ଦେଇଛନ୍ତି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ।

କୋହଲିଙ୍କ ୫୦ ଶତକ ହାସଲକୁ ନେଇ ସଚିନ କହିଛନ୍ତି, ମୁଁ ବିରାଟଙ୍କୁ ସେତେବେଳୁ ଜାଣିଛି ଯେତେବେଳେ ସେ ଟିମ୍ ଇଣ୍ଡିଆରେ ସ୍ଥାନ ମଧ୍ୟ ପାଇନଥିଲେ । ମୁଁ ବହୁତ ଖୁସି ଯେ, ବିରାଟ କୋହଲିଙ୍କର ଦିନିକିଆରେ ୫୦ତମ ଶତକ ପୂରା ହୋଇଛି । କିନ୍ତୁ ଏବେ କୋହଲିଙ୍କ ବ୍ୟାଟ ଅଟକିବା କଥା ନୁହେଁ, କାରଣ ଏବେ ବି ତାଙ୍କ ପାଖରେ ଅନେକ ଖେଳ ବାକି ଅଛି । ବିରାଟ କୋହଲିଙ୍କ ପାଖରେ ଏବେ ମଧ୍ୟ ରନ୍ ସଂଗ୍ରହ ସହ ଶତକ ହାସଲ କରିବାର ଭୋକ ରହିଛି । ବିରାଟଙ୍କ ବ୍ୟାଟରୁ ଆଗକୁ ଆହୁରି ଶତକ ଆସିବା ବାକି ଅଛି । ଶତକ ରେକର୍ଡ ଭାରତରେ ରହିଲା ଏଥିପାଇଁ ମୁଁ ବହୁତ ଖୁସି । ଦିନିକିଆ କ୍ରିକେଟରେ ସଚିନ ୪୯ଟି ଶତକ ହାସଲ କରିଥିବା ବେଳେ କୋହଲି ଚଳିତ ବିଶ୍ୱକପରେ ଶତକ ହାସଲ ସହ ଦିନିକିଆରେ ୫୦ତମ ଶତକ ହାସଲ କରିଛନ୍ତି ।

୩୫ ବର୍ଷ ବୟସରେ ପାଦ ଦେଇଥିଲେ ମଧ୍ୟ କୋହଲି ଏବେ ମଧ୍ୟ ଟିମ୍ ଇଣ୍ଡିଆର ଫିଟ୍ ଖେଳାଳୀ ଭାବେ ପରିଚିତ । କୋହଲିଙ୍କର ଫିଟନେସ୍ ଅନ୍ୟ ଖେଳାଳୀଙ୍କ ପାଇଁ ପ୍ରେରଣା ସାଜିଛି । ଏଭଳି ସ୍ଥଳେ ୨୦୨୭ ବିଶ୍ୱକପ ଖେଳିବା କୋହଲିଙ୍କ ପାଇଁ ଏତେ କଷ୍ଟକର ହେବନି । କାରଣ ରନ୍ ହାସଲ କରିବା ଭଳି ନିଜର ଫିଟନେସକୁ କୋହଲି ବେଶ ଗୁରୁତ୍ୱ ଦେଇଥାନ୍ତି । ତେବେ ଟି-୨୦ ଦଳକୁ କୋହଲି ଫେରିବେ କି ନାହିଁ ତାହାକୁ ନେଇ ସଂଶୟ ରହିଛି । ବିଶ୍ୱକପ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳୁଥିବା ଟି-୨୦ ସିରିଜରୁ କୋହଲି ଓ ରୋହିତଙ୍କ ଭଳି ବଡ ଚେହେରାଙ୍କୁ ବିଶ୍ରାମ ଦିଆଯାଇଛି । ଆସନ୍ତାବର୍ଷ ଟି-୨୦ ବିଶ୍ୱକପ ରହିଛି, ତେଣୁ ଭାରତୀୟ ଟିମରେ କୋହଲି ଓ ରୋହିତଙ୍କ ଭଳି ଷ୍ଟାର କ୍ରିକେଟରଙ୍କୁ ସ୍ଥାନ ମିଳିବ ନା ଯୁବ ଚେହେରାଙ୍କ ଉପରେ ଦଳ ଭରସା କରିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।