ଗଣତନ୍ତ୍ର ଦିବସ ପୂର୍ବରୁ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ବିଫଳ ! ଆଇଏସ୍ ସହ ସମ୍ପୃକ୍ତି ଅଭିଯୋଗରେ ୯ସନ୍ଦିଗ୍ଧ ଗିରଫ, ବିସ୍ଫୋରକ ଜବତ

153

କନକ ବ୍ୟୁରୋ : ଗଣତନ୍ତ୍ର ଦିବସ ପୂର୍ବରୁ ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ବିଫଳ କରିଛି ମହାରାଷ୍ଟ୍ର ଏଟିଏସ୍ । ଆଜି ବିଭିନ୍ନ ଜାଗାରେ ଚଢାଉ କରି ଆଇଏସଆଇଏସ ସହ ସମ୍ପୃକ୍ତ ୯ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ମହାରାଷ୍ଟ୍ର ଏଟିଏସ୍ । ମିଳିଥିବା ସୂଚନା ଅନୁସାରେ ଗିରଫଙ୍କ ମଧ୍ୟରୁ ୪ଜଣ ଔରଙ୍ଗାବାଦର ହୋଇଥିବା ବେଳେ ୫ଜଣ ଥାଣେର ମୁମ୍ବ୍ରା ଅଂଚଳର । ଏମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛି ଯାହାର ବୟସ ୧୭ବର୍ଷ ବୋଲି ଜଣାପଡିଛି । ଏଟିଏସ୍ର ସୂଚନା ଅନୁଯାୟୀ ସନ୍ଦିଗ୍ଧମାନେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିଲେ ।

ତାଙ୍କ ନିକଟରୁ କେମିକାଲ ପାଉଡର, ଏସିଡ ପାଉଡର, ବିଭିନ୍ନ ମାରଣାସ୍ତ୍ର, ହାର୍ଡ ଡ୍ରାଇଭ, ମୋବାଇଲ ଫୋନ୍ ଓ ସିମ୍ କାର୍ଡ ଜବତ କରାଯାଇଛି । ତେବେ କେଉଁ କେଉଁ ସ୍ଥାନରେ ଏମାନେ ଆତଙ୍କୀ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଦୀର୍ଘ ଦିନ ଧରି ଏଟିଏସ୍ ଏହି ଯୁବକଙ୍କ ଉପରେ ନଜର ରଖିଥିଲା । ଆତଙ୍କବାଦୀ ଆକ୍ରମଣ ଓ ସନ୍ଦେହଜନକ ଗତିବିଧି ନେଇ ଖବର ପକ୍କା ହେବା ପରେ ସୋମବାର ରାତିରେ ଔରଙ୍ଗାବାଦ ଓ ଥାଣେରେ ଏମାନଙ୍କ ଠିକଣା ଉପରେ ଚଢାଉ କରାଯାଇଥିଲା । ପ୍ରଥମେ ସନ୍ଦିଗ୍ଧ ୯ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରାଯାଇଛି ।