ନକଲି ସାର୍ଟିଫିକେଟ୍ ଦେଇ ନୀଳଗିରିରେ ଚାଲିଛି ଶିକ୍ଷକତା: ୩ ଶିକ୍ଷକ, ଶିକ୍ଷୟୀତ୍ରିଙ୍କ ନାଁରେ ସାଂଘାତିକ ଅଭିଯୋଗ

424

କନକ ବ୍ୟୁରୋ: ରାଜ୍ୟର କୋଣଅନୁକୋଣରେ ପହଂଚିଛି ଫେକ୍ ସାର୍ଟିଫିକେଟ୍ କାରବାର । ବାଲେଶ୍ୱର ନୀଳଗିରି ଅଂଚଳରେ ନକଲି ସାର୍ଟିଫିକେଟ ଦେଇ ଶିକ୍ଷକତା କରୁଥିବାର ଅଭିଯୋଗ ଆସିଛି । ଏନେଇ ଅଭିଯୋଗ ହେବା ପରେ ଧରପଗଡ଼ ଆରମ୍ଭ କରିଛନ୍ତି ନୀଳଗିରି ଶିକ୍ଷା ଅଧିକାରୀଙ୍କ ଟିମ୍ । । ଅଭିଯୋଗ ଅନୁସାରେ ଗେନ୍ଦ୍ରା ସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗୋବିନ୍ଦ ସାହୁ, ଉଷନେଣ୍ଡି ପ୍ରାଥମିକ ସ୍କୁଲର ଶିକ୍ଷୟତ୍ରୀ ତରୁଲତା ବେହେରା ଏବଂ ଅଁଳାପାଳ ପ୍ରାଥମିକ ସ୍କୁଲର ଦେବକୀଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ । ଏହି ତିନି ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ୍ ଯାଂଚ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ନୀଳଗିରି ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ପୂର୍ବରୁ ଗଣଶିକ୍ଷକ ଭାବେ ନିଯୁକ୍ତି ପାଇଥିବା କିଛି ଶିକ୍ଷକ ମାଟ୍ରିକ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିଲେ । ପରର୍ବତୀ ସମୟରେ ସମୟରେ ରାଜ୍ୟ ସରକାର ଯୁକ୍ତ ଦୁଇ ମାଧ୍ୟତାମୂଳକ ବୋଲି ଘୋଷଣା ପରେ ନୀଳଗିରିୀଅଂଚଳର କିଛି ଶିକ୍ଷକ ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଅଭିଯୋଗ ହୋଇଛି । ସରକାରଙ୍କ ନିଷ୍ପତି ପରେ ନିଜ ନିଜ ଉଦ୍ୟମ ଯୁକ୍ତ ଦୁଇ ପାସ କରିବା ପାଇଁ ଉଦ୍ୟମ କରଥିଲେ । ହେଲେ ଏଥିରେ ବିଫଳ ହେବା ପରେ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରୁ ଯୁକ୍ତ ଦୁଇ ସାର୍ଟିଫିକେଟ୍ ସଂଗ୍ରହ କରି ଦାଖଲ କରିଥିବା ଅଭିଯୋଗ ହୋଇଛି । କିଏ ଉତରପ୍ରଦେଶରୁ ତ’ ଆଉ କିଏ ପଶ୍ଚମବଙ୍ଗର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ନକଲି ସାର୍ଟିଫିକେଟ୍ ଆଣି ଦାଖଲ କରିଥିବା ଅଭିଯୋଗ ହୋଇଛି ।