ବାପା ଚା’ ବିକିଲେ ପରିବାର ଚଳେ । ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତର ହେବ ପୁଅ ।

230

କନକ ବ୍ୟୁରୋ: ବାପା ଚା’ ପାନ ବିକିଲେ ୫ ପ୍ରାଣୀ କୁଟୁମ୍ବ ଚଳେ । ଅତି କଷ୍ଟରେ ଚାଲିଥିବା ପରିବାରରେ ଆଜି ଖୁସିର ମାହୋଲ । କାରଣ ପୁଅ ସର୍ବଭାରତୀୟ ନିଟ୍ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛି । ଆଗକୁ ଡାକ୍ତର ହୋଇ ଲୋକ ସେବା କରିବ  । ପୁଅର ଏହି ସଫଳତା ଗରୀବ ବାପା, ମା’ଙ୍କ ମନରେ ଭରିଦେଇଛି ଅସରନ୍ତି ଖୁସି ।

କୁହାଯାଏ କଠିନ ପରିଶ୍ରମରେ ଭାଗ୍ୟ ରେଖା ବି ବଦଳିଯାଏ । ଯାହାକୁ ସଫଳ କରିଦେଖାଇଛନ୍ତି ଫୁଲବାଣୀ ସହରର ମାଷ୍ଟରପଡା ନିବାସୀ ଶଙ୍କର ବେହେରାଙ୍କ ପୁଅ ସୂରଜ ବେହେରା । ପିଲାଟି ବେଳୁ ପାଠପଢାରେ ମନଯୋଗୀ ସୂରଜଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି । ନିଟ୍ ପରୀକ୍ଷାରେ ମୋଟ ୬୩୫ ମାର୍କ ରଖି ସର୍ବ ଭାରତୀୟ ସ୍ତରରେ ୮୦୫୬ର୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ମେଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତ ଓ ଯୁକ୍ତ ୨ ରେ ୮୦ ପ୍ରତିଶତ ରଖି ଉତ୍ତିର୍ଣ୍ଣ ହୋଇଥିବା ସୂରଜ ଡାକ୍ତରୀ ପଢିବାକୁ ଇଚ୍ଛା ରଖିଥିଲେ ବି ଆର୍ଥିକ ଅଭାବରୁ କୋଚି ନେବା ସମ୍ଭବ ହୋଇନଥିଲା । ଘରେ ରହି ମୋବାଇଲ ସାହାଯ୍ୟରେ ହିଁ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ତାଙ୍କର କଠୋର ପରିଶ୍ରମ ଆଜି ତାଙ୍କୁ ସଫଳତା ଦେଇଛି  ।

ପଢାକୁ ପଢା ତା ସହ ବାପାଙ୍କୁ ବି ସାହାଯ୍ୟ କରୁଥିଲେ ସୂରଜ । ସନ୍ଧ୍ୟା ବେଳେ ୨ରୁ ୩ ଘଣ୍ଟା ବାପାଙ୍କ ଦୋକାନ ସମ୍ଭାଳୁଥିଲେ । ତା ପରେ ଘରେ ପହଞ୍ଚି ପଢାରେ ଲାଗିପଡୁଥିଲେ ।ଆଜି ପୁଅର ସଫଳତାରେ ବାପା, ମା’ଙ୍କର ଖୁସି କହିଲେ ନସରେ ।

ନିଟରେ ପୁଅ ଉତ୍ତିର୍ଣ୍ଣ ହେବା ପରେ ବି ବାପା, ମା’ଙ୍କର ଚିନ୍ତା ଯାଇନି । ପାଖରେ ଅର୍ଥ ନାହିଁ । ଆଗକୁ ୫ ବର୍ଷ ପୁଅ କେମିତି ପଢିିବ । ଏପରି ସ୍ଥଳେ ଯଦି ପ୍ରଶାସନ ସହାୟତାର ହାତ ବଢାନ୍ତା ତେବେ ସୂରଜ ରାଜ୍ୟର ଜଣେ ଦକ୍ଷ ଡାକ୍ତର ହେବାକୁ ସହଜ ହୁଅନ୍ତା