ଅନଲାଇନ୍ ଫୁଡ୍ ଡେଲିଭରୀ ଏବେ ହେବ ମହଙ୍ଗା । ଗ୍ରାହକଙ୍କଠାରୁ ୨ ଟଙ୍କା ଡେଲିଭରୀ ଚାର୍ଜ ନେବ ସ୍ୱିଗି ।

75

କନକ ବ୍ୟୁରୋ: ଆପଣ ଯଦି ଅନଲାଇନ୍ ଯୋଗେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଖରାପ ଖବର । ଏଣିକି ଅନଲାଇନ୍ ଯୋଗେ ଫୁଡ୍ ଅର୍ଡର କଲେ, ଆପଣଙ୍କୁ ଗଣିବାକୁ ପଡିବ ଅଧିକ ଟଙ୍କା । ଅନଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ସ୍ୱିଗି ପ୍ରତି ଅର୍ଡର ପିଛା ଗ୍ରାହକଙ୍କଠାରୁ ନେବ ୨ ଟଙ୍କା ।

ମିଳିଥିବା ସୂଚନା ମୁତାବକ, ଏଣିକି ପ୍ରତି ଅର୍ଡର ପିଛା ସ୍ୱିଗି ଗ୍ରାହକଙ୍କଠାରୁ ୨ ଟଙ୍କା ଅଧିକ ପଇସା ନେବ । ତେବେ ଗୋଟିଏ ଅର୍ଡରରେ ଯେତେ ବି ଖାଦ୍ୟ ଅର୍ଡର କଲେ ବି, ଗ୍ରାହକଙ୍କୁ ସେହି ୨ ଟଙ୍କା ଦେବାକୁ ପଡିବ ।

ଲଗାତାର ଫୁଡ୍ ଡେଲିଭରୀ କମ୍ପାନୀ ସ୍ୱିଗି ନିଜ ବ୍ୟବସାୟରେ କ୍ଷତି ସହି ଆସୁଛି । ଯେଉଁ କାରଣରୁ କମ୍ପାନୀ ଉପରେ ବୋଝ ବଢିବାରେ ଲାଗିଛି । ଏହାକୁ କମ୍ କରିବାକୁ ଯାଇ କମ୍ପାନୀ ଏବେ ୟୁଜର୍ସଙ୍କଠାରୁ ୨ ଟଙ୍କା ଲେଖାଏଁ ଡେଲିଭରୀ ଚାର୍ଜ ଆଦାୟ କରିବ । ତେବେ ବର୍ତ୍ତମାନ ସମୟରେ କେବଳ ବାଙ୍ଗାଲୋର ଓ ହାଇଦ୍ରାବାଦରେ ଏହି ନିୟମ ଲାଗୁ ହୋଇଥିବାବେଳେ, ଆଗାମୀ ଦିନରେ ମୁମ୍ବାଇ ଓ ଦିଲ୍ଲୀରେ ଏହି ନିୟମ ଲାଗୁ ହେବ । ତେବେ ଖୁବଶୀଘ୍ର ଏହି ନିୟମ ସାରା ଦେଶରେ ସ୍ୱିଗି ପକ୍ଷରୁ ଲାଗୁ କରାଯିବ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ, ପ୍ରତିଦିନ ସ୍ୱିଗିରେ ପ୍ରାୟ ୧୫ ଲକ୍ଷ ଅନଲାଇନ୍ ଅର୍ଡର ହୋଇଥାଏ । ଯଦି କମ୍ପାନୀ ପ୍ରତି ଅର୍ଡର ପିଛା ୨ ଟଙ୍କା ଲେଖାଏଁ ଆଦାୟ କରେ, ତେବେ କମ୍ପାନୀ ପ୍ରତିଦିନ ୩୦ ଲକ୍ଷ ଟଙ୍କା ଆୟ କରିବ । ଏଭଳି ସ୍ଥିତିରେ କମ୍ପାନୀ ମାସିକ ୯ କୋଟି ଟଙ୍କା ଅଧିକ ଆୟ କରିବାକୁ ପ୍ଲାନ୍ ପ୍ରସ୍ତୁତ କରିଛି । ତେବେ କେବଳ ସ୍ୱିଗି ଏହି ନିୟମ ଲାଗୁ କରିଥିବାବେଳଏ, ଜୋମାଟୋ କିନ୍ତୁ କୌଣସି ଚାର୍ଜ ଲାଗୁ କରିନି ।