କାଉନସିଲରରୁ ବିଧାନସଭା ବାଚସ୍ପତି । ଏମିତି ଥିଲା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ରାଜନୈତିକ ଯାତ୍ରା ।

465

କନକ ବ୍ୟୁରୋ: ଆରପାରିରେ ସୂର୍ଯ୍ୟ ନାରାୟଣ ପାତ୍ର । ଗଞ୍ଜାମ ରାଜନୀତିର ବାଦଶାହା ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ପାତ୍ରଙ୍କର ଶନିବାର ବିୟୋଗ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି । ବର୍ତ୍ତମାନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଅଣାଯାଇଥିବାବେଳେ ଆସନ୍ତାକାଲି ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି ।

୧୯୪୮ ମସିହା ଡିସେମ୍ବର ୨୪ ତାରିଖରେ ଜନ୍ମ ଗ୍ରହଣ କରିଥିବା ସୂର୍ଯ୍ୟ ୧୯୯୦ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ଏହା ପୂର୍ବରୁ ୧୯୭୭ ମସିହାରେ ସେ ବ୍ରହ୍ମପୁର ମ୍ୟୁନିସିପାଲିଟିରେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ତେବେ ୧୯୯୦ ମସିହାରେ ଜନତା ଦଳରୁ ଟିକେଟ୍ ହାତେଇବା ସହିତ ସେତେବେଳେ ମୋହନାରୁ ନିର୍ବାଚନ ଲଢିବା ସହିତ ବିଜୟୀ ହେଇଥିଲେ ସୂର୍ଯ୍ୟ । ଆଉ ଏଇଠୁ ହିଁ ଗଞ୍ଜାମ ରାଜନୀତିରେ ଲମ୍ବା ରେସର ଘୋଡା ସାଜିଥିଲେ ସୂର୍ଯ୍ୟ ନାରାୟଣ ପାତ୍ର ।

୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଲଗାତାର ୧୦ ବର୍ଷ ଧରି ସେ ଜନତା ଦଳ ଟିକେଟରେ ମୋହନାରୁ ବିଧାୟକ ହେଇଥିଲେ । ଏହାପରେ ବିଜେଡି ଟିକେଟରୁ ମଧ୍ୟ ସେ ମୋହନାରୁ ୨ ଥର ବିଧାୟକ ରହିଥିଲେ । ହେଲେ ୨୦୦୯ ମସିହାରେ ସେ ନିଜର ନିର୍ବାଚନମଣ୍ଡଳୀ ପରିବର୍ତ୍ତନ କରିବା ସହିତ ଦିଗପହଣ୍ଡିରୁ ନିର୍ବାଚନ ଲଢିଥିଲେ । ବାସ୍, ଏହାପରଠୁ ସେ ଦିଗପହଣ୍ଡିରୁ ହିଁ ବିଧାୟକ ହେଇ ଆସୁଥିଲେ । ୨୦୦୯ ମସିହାରୁ ସେ ଦିଗପହଣ୍ଡିର ବିଧାୟକ ରହିଥିଲେ ।

ନିଜ ଦୀର୍ଘ ବର୍ଷର ରାଜନୈତିକ କ୍ୟାରିୟର ଭିତରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ରହିଥିଲେ ସୂର୍ଯ୍ୟ । ଶକ୍ତି ବିଭାଗ ସହିତ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ ସୂର୍ଯ୍ୟ ପାତ୍ର । ୨୦୧୯ ମସିହା ଜୁନ୍ ୧ ତାରିଖରେ ସେ ଓଡିଶା ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, ଆଉ ୨୦୨୨ ମସିହା ଜୁନ୍ ମାସ ୪ ତାରିଖ ପର୍ଯ୍ୟନ୍ତ ସେ ଏହି ପଦରେ ରହିଥିଲେ ।