ମାଲୟାଲମ୍ ନ୍ୟୁଜ୍ ଚ୍ୟାନେଲ ବନ୍ଦ କରିବା ଉପରେ ମୁଖ୍ୟ ବିଚାରପତିଙ୍କ ପ୍ରତିକ୍ରିୟା । କହିଲେ, ରାଷ୍ଟ୍ରୀୟ ସୁରକ୍ଷା ନାମରେ ସରକାର ନାଗରିକଙ୍କ ସ୍ୱର ଦବାଇବାକୁ ଚେଷ୍ଟା କରୁଛନ୍ତି ।

115

କନକ ବ୍ୟୁରୋ : ଦେଶରେ ରାଷ୍ଟ୍ରୀୟ ସୁରକ୍ଷା ନାମରେ ନାଗରିକଙ୍କ ସ୍ୱର ଦବାଇଦେବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର । ଏଭଳି କିଛି ବୟାନ ଦେଇଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ୍ । ସେ କହିଛନ୍ତି କି ସରକାର ରାଷ୍ଟ୍ରୀୟ ସୁରକ୍ଷା ଆଳରେ ନାଗରିକଙ୍କ ଅଧିକାର କ୍ଷୂର୍ଣ୍ଣ କରିପାରିବେ ନାହିଁ । ମାଲୟାଲମ ଟିଭି ଚ୍ୟାନେଲ ବ୍ୟାନ ପରେ ଚ୍ୟାନେଲ ତରଫରୁ ଏକ ବିଶେଷ ଆବେଦନ କରାଯାଇଥିଲା । ଏହା ଉପରେ ଶୁଣାଣି କରି କୋର୍ଟ ଏଭଳି ଆଦେଶ ଦେଇଛନ୍ତି ।

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ ଓ ଜଷ୍ଟିସ ହେମା କୋହଲୀଙ୍କ ପୀଠ କେନ୍ଦ୍ର ସରକାରଙ୍କ ସେହି ଯୁକ୍ତିକୁ ଖାରଜ କରିଦେଇଛନ୍ତି । ସରକାର ତାଙ୍କ ଯୁକ୍ତିରେ କହିଥିଲେ କି, ମାଲୟାଲମ ନ୍ୟୁଜ ଚ୍ୟାନେଲ ବ୍ୟାନ କରିବା ପଛରେ ରହିଛି ରାଷ୍ଟ୍ରୀୟ ସୁରକ୍ଷା ମାମଲା । ଏହାକୁ ନେଇ କୋର୍ଟ କହିଥିଲେ କି ପବନରେ ରାଷ୍ଟ୍ରୀୟ ସୁରକ୍ଷା ଉପରେ ବିପଦ ଥିବା କହିଦେଲେ ହେବ ନାହିଁ । ବରଂ ଏନେଇ ମଜବୁତ ପ୍ରମାଣ କୋର୍ଟକୁ ଦେବାକୁ ପଡିବ । ଏହାସହ କୋର୍ଟ ସରକାରଙ୍କୁ କଟାକ୍ଷ କରି କହିଛନ୍ତି କି ନାଗରିକଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା ଉର୍ଦ୍ଦେଶ୍ୟରେ ସରକାର ରାଷ୍ଟ୍ରୀୟ ସୁରକ୍ଷାକୁ ବ୍ୟବହାର କରୁଛନ୍ତି । ଏହା ଏକ ଗଣତନ୍ତ୍ରିକ ଦେଶ ପାଇଁ ବିପଦ ବୋଲି ଖଣ୍ଡପୀଠ କହିଛନ୍ତି ।

ସୂଚନା ମୁତାବକ ମିଡିଆ ୱାନ ନାମରେ ଏକ ମାଲୟାଲମ ନ୍ୟୁଜ ଚ୍ୟାନେଲକୁ ସିକ୍ୟୁରିଟି କ୍ଲିୟରାନ୍ସ ଦେବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ମନା କରିଦେଇଥିଲେ । ଏହାପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଉକ୍ତ ଚ୍ୟାନେଲର ବ୍ରଡକାଷ୍ଟିଂ ଲାଇସେନ୍ସ ରିନ୍ୟୁ କରିବାକୁ ମନା କରିଦେଇଥିଲେ । ଏନେଇ ଫେବୃଆରୀ ୯ ତାରିଖରେ ଉକ୍ତ ନ୍ୟୁଜ୍ ଚ୍ୟାନେଲ ତରଫରୁ କେରଳ ହାଇକୋର୍ଟରେ ଆବେଦନ କରାଯାଇଥିଲା । ହେଲେ କେରଳ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ ।

ଏହାପରେ କମ୍ପାନୀ ତରଫରୁ ଏନେଇ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ଏହାପରେ କୋର୍ଟ ତରଫରୁ ଏନେଇ କେନ୍ଦ୍ର ସରକାରଙ୍କୁ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କେନ୍ଦ୍ର ସରକାରଙ୍କ ତରଫରୁ ଓକିଲ ବନ୍ଦ ଲଫାପାରେ ଜବାବ ଦେଇଥିଲେ । ହେଲେ ବନ୍ଦ ଲଫାପାରେ ଜବାବ ଦେବାକୁ ସହଜରେ ଗ୍ରହଣ କରିପାରି ନଥିଲେ କୋର୍ଟ । କୋର୍ଟ କହିଥିଲେ କି ସରକାର ବନ୍ଦ ଲଫାପାରେ ଜବାବ ଦେବାର ଅର୍ଥ ଆବେଦନକାରୀଙ୍କୁ ଅନ୍ଧାରରେ ମାମଲା ଲଢିବାକୁ ଛାଡିଦେବା ସହ ସମାନ । ଏହା ସହ ବନ୍ଦ ଲଫାପାରେ ଜବାବ ଦେବା ପ୍ରାକୃତିକ ନ୍ୟାୟ ଓ ସିଦ୍ଧାନ୍ତ ବିରୋଧୀ ବୋଲି କୋର୍ଟ କହିଛନ୍ତି ।

ଏହାସହ କେନ୍ଦ୍ର ସରକାର ସଂପୃକ୍ତ ନ୍ୟୁଜ ଚ୍ୟାନେଲ ଉପରେ ଯେଉଁ ବ୍ୟାନ ଲଗାଇଥିଲେ ତାହାକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି । କୋର୍ଟ କହିଛନ୍ତି କି ମଜବୁତ ଲୋକତନ୍ତ୍ର ପାଇଁ ଏକ ନିର୍ଭୟ ଓ ସ୍ୱତନ୍ତ୍ର ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ।