ମେଧାବୀ ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ

27

ଭଦ୍ରକ : ଜଣେ ମେଧାବୀ ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ । ଛାତ୍ରୀ ଜଣକ ସମସ୍ତ ପେପର ପରୀକ୍ଷା ଦେଇଥିବା ବେଳେ ତାଙ୍କ ଫଳାଫଳ ପ୍ରକାଶ ପାଇନାହିଁ । ଗୋଟିଏ ପେପରରେ ଅନୁପସ୍ଥିତ ଥିବା ଦର୍ଶାଯାଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ବନ୍ତସ୍ଥିତ ଆଂଚଳିକ ମହାବିଦ୍ୟାଳୟର ଯୁକ୍ତ ତିନି ଛାତ୍ରୀ ସାଗରିକା ସାହୁଙ୍କ କ୍ଷେତ୍ରରେ । ଇତିହାସର ଦ୍ୱିତୀୟ ପେପର ଛାତ୍ରୀ ଜଣକ ପରୀକ୍ଷା ଦେଇଥିବା ବେଳେ ଫଳାଫଳରେ ସେ ଅନୁପସ୍ଥିତ ଥିବା କୁହାଯାଇଛି । ଏନେଇ ସେ କଲେଜ ଓ ଫକିରମୋହନ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପରସ୍ପରଙ୍କୁ ଦୋଷ ଦେଇ ସେମାନେ ନିରବ ହୋଇଯାଇଥିବା ଅଭିଯୋଗ ହୋଇଛି । ଏସଂକ୍ରାନ୍ତ ସମସ୍ତ କାଗଜପତ୍ର ଗତ ମେ ୩୦ ତାରିଖରୁ ଜମା ଦିଆଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା କହିଛନ୍ତି ଛାତ୍ରୀ ଜଣକ । ଅନ୍ୟପଟେ ଆଗାମୀ ଶିକ୍ଷାବର୍ଷ ପାଇଁ ଆବେଦନ ଗ୍ରହଣ କରୁଥିବା ବେଳେ ଜଣେ ମେଧାବୀ ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ଦୁଇ କର୍ତୃପକ୍ଷ । ଏବେ ଛାତ୍ରୀଙ୍କ ଭବିଷ୍ୟତର କ୍ଷତି କିଏ ଭରଣା କରିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।