ବାଲେଶ୍ୱର ଚାରୁ ଓ କାରୁକଳା ଅଧ୍ୟକ୍ଷଙ୍କ ବିରୋଧରେ ସଂଗୀନ ଅଭିଯୋଗ : ହୋଲି ବେଳେ ଛାତ୍ରୀଙ୍କୁ କହିଲେ, ନାଚିଲେ ପରୀକ୍ଷାରେ ମିଳିବ ୨୦ ମାର୍କ

199

କନକ ବ୍ୟୁରୋ : ବାଲେଶ୍ୱର ଚାରୁ ଓ କାରୁ କଳା କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ । ଦୁଇବର୍ଷ ତଳେ ହୋଲି ବେଳର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଛାତ୍ରୀମାନଙ୍କୁ ନାଚିବା ପାଇଁ କହୁଛନ୍ତି କଲେଜ ଅଧ୍ୟାପକ । ଏପରିକି ନାଚିଲେ ହିଁ ପରୀକ୍ଷାରେ ୨୦ ମାର୍କ ଦିଆଯିବ ବୋଲି କହୁଛନ୍ତି କଲେଜ ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ ।

କଲେଜରେ ଲାଗିଥିବା ହୋଡିଂରୁ ଲାଗୁଛି ଏହି ଭିଡିଓ ୨୦୧୯ ମସିହାର । ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଛି ହୋଲି ଉତ୍ସବ । ମୁହଁରେ ରଙ୍ଗବୋଳି ଡିଜେ ମ୍ୟୁଜିକର ତାଳେତାଳେ ନାଚଗୀତରେ ମସଗୁଲ ହୋଇଯାଇଛନ୍ତି କଲେଜର ଛାତ୍ରଛାତ୍ରୀ । ଆଉ ଅଧ୍ୟାପକମାନେ ନିଶାରେ ଚୁର । ଏପରିକି ଖୋଦ ଅଧ୍ୟକ୍ଷ ଛାତ୍ରୀମାନଙ୍କୁ ନାଚିବା ପାଇଁ ବାଧ୍ୟ କରୁଛନ୍ତି । ନନାଚିଲେ ପରୀକ୍ଷାରେ ମାର୍କ ମିଳିବ ନାହିଁ ବୋଲି ବ୍ଲାକମେଲ ବି କରୁଛନ୍ତି । ଅଧ୍ୟାପକଙ୍କ ସର୍ତ ଅନୁସାରେ, ସାଲିସ କଲେ ପରୀକ୍ଷା ମାର୍କ ମିଳିବ ବୋଲି କହୁଛନ୍ତି ।

ବାଲେଶ୍ୱରର ଏହି ପ୍ରତିଷ୍ଟିତ ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜକୁ କଳୁଶିତ କରିପକାଇଛନ୍ତି ଏହାର ଅଧ୍ୟକ୍ଷ ଓ ଅଧ୍ୟାପକ । କଲେଜର ଛାତ୍ରଛାତ୍ରୀ ମଧ୍ୟ ଅନେକ ସ୍ପର୍ଷକାତର ଅଭିଯୋଗ ଆଣିଛନ୍ତି । ଶିକ୍ଷା ନାଁରେ ଶାରୀରିକ ଓ ମାନସିକ ନିର୍ଯାତନା ସାଙ୍ଗକୁ ଆର୍ଥିକ ଶୋଷଣ କରାଯାଉଥିବା କହିଛନ୍ତି । ବଡକଥା ହେଉଛି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କଲେଜର ଜଣେ ପୂର୍ବତନ ଅଧ୍ୟାପକଙ୍କୁ ଗତକାଲି ଗିରଫ କରିଛି ବାଲେଶ୍ୱର ପୋଲିସ ।