ଅଣସରରେ ଶ୍ରୀଜିଉ : ଦଇତାପତି ସେବାୟତଙ୍କ ତତ୍ୱାବଧାନରେ ଚାଲିଛି ଦଶମୂଳ ଉପଚାର ଓ ଗୁପ୍ତନୀତି; ଏପଟେ ରଥ ଖଳାରେ ନିର୍ମାଣ କାମ ଜୋରଦାର

135

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ନାହିଁ କୋଳାହଳ କି ନାହିଁ ଘଂଟଘଂଟାର ଶବ୍ଦ । କାରଣ ମହାପ୍ରଭୁ ମହାସ୍ନାନ ପରେ ମହା ଜ୍ୱରରେ ପିଡୀତ । ଅଣସର ଘରେ ଉପଚାର କରୁଛନ୍ତି ଦଇତାପତି ସେବାୟତ । ଚଳିତବର୍ଷ ୧୫ ଦିନିଆ ଅଣସର ଚାଲିଥିବା ବେଳେ ଗତକାଲି ଅଣସରର ତୃତୀୟ ଦିବସରେ ଅଣସର ଘରେ ଦଇତାପତି ସେବାୟତଙ୍କ ଦ୍ୱାରା ମହାପ୍ରଭୁଙ୍କ ଓଦା ବସ୍ତ୍ର ଲାଗି ନୀତି ଅନୁଷ୍ଠିତ ହୋଇଥିଲା ।

ଆଜି ଅଣସରର ଚତୃର୍ଥ ଦିନରେ ଚାଲିଛି ଠାକୁରଙ୍କ ଗୁପ୍ତ ନୀତି । ତା ସହ ମହାପ୍ରଭୁଙ୍କୁ ଜ୍ୱରରୁ ଉପଶମ ପାଇଁ ଦିଆଯାଉଛି ଅଣସର ପଣା ଓ ଚକଟା ଭୋଗ । ଅଣସର ଦ୍ୱିତୀୟ ଦିନରୁ ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଛି ଅଣସର ପଣା । ସେପଟେ ରାଜବୈଦ୍ୟଙ୍କ ପରାମର୍ଶରେ ଚାଲିଛି ଗୁପ୍ତସେବା ।ଦଇତାପତିମାନେ ଗୋଷ୍ଠିଗତ ଭାବେ ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ସେବାରେ ଳାଗିପଡ଼ନ୍ତି ।

ସେପଟେ ରଥଯାତ୍ରା ପାଇଁ ଚଳଚଂଚଳ ହୋଇପଡ଼ିଛି ରଥଖଳା । ୩ରଥର ପୋଟଳ ଓ ଖପୁରୀ କାମ ସରିଥିବା ବେଳେ ଜୋରସୋରରେ ଚାଲିଛି କଳସ କାମ । ରଥଖଳାରେ ୩ରଥର ତୃତୀୟ ଭୁଇଁ ଉଠିବା ପରେ ସ୍ନାନଯାତ୍ରା ଦିନ ଉଠିଥିଲା ବଡଧରା ପୋଟଳ ।