ରାୟଗଡା ଏକଲବ୍ୟ ଆବାସିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି: ୫ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ

71

କନକ ବ୍ୟୁରୋ: ୫କିଲୋମିଟର ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଛାତ୍ରଛାତ୍ରୀ । ରାୟଗଡାରେ ଓଡ଼ିଶା ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ଅଶାନ୍ତି ଦେଖାଦେଇଛି । ଖାଦ୍ୟ ଠାରୁ ଆରମ୍ଭ କରି ଶିକ୍ଷାଦାନ ପର୍ଯ୍ୟନ୍ତ ସବୁଥିରେ ଅବହେଳା ପ୍ରତିବାଦରେ ଶତାଧିକ ଛାତ୍ରଛାତ୍ରୀ ୫କିଲୋମିଟର ଚାଲି ଚାଲି ଯାଇ ରାୟଗଡା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଆଦିବାସୀ ଛାତ୍ରଛାତ୍ରୀଙ୍କୁ ହୋଷ୍ଟେଲରେ ଠିକ ଭାବେ ଖାଇବାକୁ ନଦେବା, ଶୌଚାଳୟର ଅବ୍ୟବସ୍ଥା, ୟୁନିଫର୍ମ ନଦେବା ଓ ପାଠ ପଢା ପାଇଁ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ରହିଥିବା ବେଳେ ଏନେଇ ପ୍ରିନ୍ସିପାଲଙ୍କୁ ଅଭିଯୋଗ କଲେ ଦୁର୍ବ୍ୟବହାର କରୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏହାସହ ସ୍କୁଲର ସମସ୍ୟା ନେଇ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇଲେ ସୁଦ୍ଧା କୌଣସି ସମାଧାନ କରାଯାଉନଥିବା ଛାତ୍ରଛାତ୍ରୀ କହିଛନ୍ତି ।

ଶେଷରେ ଅନ୍ୟ କୌଣସି ଉପାୟ ନପାଇ ୩ଶହରୁ ଅଧିକ ଛାତ୍ରଛାତ୍ରୀ ଶିରିଗୁଡାରୁ ୫କିଲୋମିଟର ବାଟ ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ଆଲୋଚନା କରିଥିଲେ ମଧ୍ୟ ଛାତ୍ରଛାତ୍ରୀ ରାଜି ନହେବାରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ପିଏ ଆଇଟିଡିଏ, ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।