ଏକତରଫା ପ୍ରେମର କରୁଣ ପରିଣତି । ଅଶ୍ଳୀଳ ଭିଡିଓ ଭାଇରାଲ କଲା ଦୁର୍ବୃତ୍ତ । ଲୋକଲଜ୍ଜା ଭୟରେ ଛାତ୍ରୀଙ୍କ ଆତ୍ମହତ୍ୟା

1,218

କନକ ବ୍ୟୁରୋ: ନିରାକାରପୁର ଥାନା ଆଗରେ ଛାତ୍ରୀଙ୍କ ମୃତଦେହକୁ ରଖି ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ । ପରିବାର ଓ ଗ୍ରାମବାସୀ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ବିକ୍ଷୋଭକାରୀ । ଖବର ପାଇ ବାଲୁଗାଁ ଏସଡିପିଓ ଦୋଷୀଙ୍କୁ ଖୁବଶୀଘ୍ର ଅଭିଯୁକ୍ତକୁ ଧରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଛି । ଏକତରଫା ପ୍ରେମରେ ବିଫଳ ହେବା ପରେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରିଦେଇଛି । ଏହାକୁ ନେଇ ଲୋକଲଜ୍ଜା ଭୟରେ ଛାତ୍ରୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଅଭିଯୋଗ ଅନୁସାରେ ନିରାକାରପୁର ଥାନା ଅଞ୍ଚଳର ଜୈନିକ କଲେଜ ଛାତ୍ରୀଙ୍କୁ ଏକତରଫା ଭଲ ପାଉଥିଲେ ଖଜୁରୀପଡାର ସଜତ ଶାହା । କିଛି ଦିନ ତଳେ ନାବାଳିକାକୁ ପ୍ରଲୋଭିତ କରି ସଜତ ଶାହା ତା ଘରକୁ ନେଇଯାଇଥିଲା । ଏହାପରେ ନାବାଳିକାକୁ ବୁଝାସୁଝା କରି ଘରକୁ ଫେରାଇ ଆଣିଥିଲେ ପରିବାର ଲୋକେ ।

ଏକତରଫା ପ୍ରେମରେ ବିଫଳ ହେବା ପରେ ନାବାଳିକାକୁ ସଜତ ଓ ତା ପରିବାର ଲୋକେ ହଇରାଣ କରୁଥିଲେ । ଏନେଇ ନିରାକାରପୁର ଥାନାରେ ତିନି ତିନି ଥର ଅଭିଯୋଗ ହୋଇଛି । ସଜତ ଶାହା ଓ ତା ପରିବାର ଲୋକେ ଛାତ୍ରୀଙ୍କୁ ହଇରାଣ କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଥାନାରେ ଆପୋଷ ବୁଝାମଣା ହୋଇଥିଲା । କିନ୍ତୁ ପ୍ରତିଶୋଧ ପରାୟଣ ହୋଇ ସଜିତ ନାବାଳିକାର ଅଶ୍ଳୀଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲା । ଏହାପରେ ଲୋକଲଜ୍ଜା ଓ ମାନସିକ ଯନ୍ତ୍ରଣାରେ ନାବାଳିକା ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ନାବାଳିକା ଛାତ୍ରୀ ଆତ୍ମହତ୍ୟା କରିବାନେଇ ଅଭିଯୋଗ ହେବା ପରେ ନିରାକାର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ଅଭିଯୁକ୍ତଙ୍କ ପରିବାର ୬ ଜଣ ମହିଳାଙ୍କୁ ଅଟକ ରଖି ପୁଲିସ ପଚରା ଉଚରା କରୁଛି ।