୨୦୨୪ ନିର୍ବାଚନରେ ଷ୍ଟାର ପାୱାର । ମଇଦାନରେ କଳାକାର ଆଉ କ୍ରିକେଟର ।

469

କନକ ବ୍ୟୁରୋ: ପାଖେଇ ଆସିଲାଣି ୨୦୨୪ ନିର୍ବାଚନ । କିଛି ଦିନ ପରେ ପଡିବ ଭୋଟ । ଦଳଗୁଡିକ ବାଛି ସାରିଛନ୍ତି ଉପଯୁକ୍ତ ପ୍ରାର୍ଥୀ । ଏଥରକ ନିର୍ବାଚନରେ ଏମିତି କିଛି ଚର୍ଚ୍ଚିତ ବ୍ୟକ୍ତି ଦେଖିବାକୁ ମିଳିବେ ଯେଉଁମାନେ ସିଲଭର ସ୍କ୍ରିନରେ କମାଲ କରି ଦର୍ଶକଙ୍କ ନିକଟରେ ଚିହ୍ନା ଚେହେରା ପାଲଟିଛନ୍ତି ଆଉ ଏବେ ଭୋଟ ମାଗୁଛନ୍ତି ।

ଯଦି ତାଲିକା ଉପରେ ନଜର ପକାଇବା ତେବେ ସବୁଠୁ ଅଧିକ ଧ୍ୟାନ ଆକର୍ଷଣ କରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ହିମାଚଳ ପ୍ରଦେଶ ମଣ୍ଡି ଆସନ ପାଇଁ ପାଇଛନ୍ତି ବିଜେପି ଟିକେଟ । ପ୍ରାର୍ଥୀ ହେବା ପରେ ଜୋରଦାର ପ୍ରଚାର ଆରମ୍ଭ କରିସାରିଲେଣି । ଏଥିସହ ପୌରାଣିକ ଧାରାବାହିକ ରାମାୟଣରେ ପ୍ରଭୁ ରାମଙ୍କ ଚରିତ୍ରରେ ଅଭିନୟ କରି ସବୁ ବର୍ଗର ଦର୍ଶକଙ୍କ ହୃଦୟରେ ରାଜୁତି କରନ୍ତି ବରିଷ୍ଠ କଳାକାର ଅରୁଣ ଗୋଭିଲ । ବର୍ଷ ଆରମ୍ଭରୁ ଅରୁଣଙ୍କ ନାଁ ଚର୍ଚ୍ଚା ହେଉଥିବାବେଳେ ବିଜେପି ତାଙ୍କୁ ଉତ୍ତରପ୍ରଦେଶ ମେରଠରୁ ପ୍ରାର୍ଥୀ କରିଛି ।

ଚଳିତ ନିର୍ବାଚନରେ ଉଭୟ କଙ୍ଗନା ଓ ଅରୁଣ ଚର୍ଚ୍ଚିତ ଚେହେରା ରହିଛନ୍ତି । ତେବେ ବିଜେପି କିଛି ପୁରୁଣା ସେଲିବ୍ରେଟିଙ୍କ ଟିକେଟ ପୁଣି ଥରେ ଦେଇଛି ଯେଉଁମାନେ ପ୍ରଥମ ଇନିଂସରେ ସଫଳତା ପାଇଛନ୍ତି । ତାଲିକାରେ ସବୁଠୁ ଆଗରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଆମେଠିରୁ ପୁଣି ଲଢ଼ିବେ ସ୍ମୃତି । ଗତଥର ରାହୁଲ ଗାନ୍ଧୀଙ୍କୁ ହରାଇଥିଲେ ବିଜେପିର ଏହି ହେଭିୱେଟ ନେତ୍ରୀ । ଟିଭି ଦୁନିଆର ଜଣେ ଲୋକପ୍ରିୟ କଳାକାର ଥିଲେ ସ୍ମୃତି ଇରାନୀ । ସେହିପରି ନିଜ କଥା କୁହା ଶୈଳୀ ପାଇଁ ଜଣାଶୁଣା ମନୋଜ ତିୱାରୀଙ୍କୁ ମିଳିଛି ଉତ୍ତର-ପୂର୍ବ ଦିଲ୍ଲୀ ଟିକେଟ । ବଲିଉଡ ଓ ଭୋଜପୁରୀ ଅଭିନେତା ରବି କିଶନ ମଧ୍ୟ ଆସ୍ଥା ଜିତି ପୁଣି ଥରେ ଟିକେଟ ହାତେଇଛନ୍ତି । ଗୋରଖପୁରରୁ ଲଢ଼ିବେ ରବି କିଶନ । ମଥୁରା ଆସନରେ ପୁଣି ଥରେ ଲଢ଼ିବେ ଡ୍ରିମଗର୍ଲ ହେମାମାଳୀନୀ ।ଜୋରଦାର ପ୍ରଚାର ସହ ହେମା ନିର୍ବାଚନ ମଇଦାନକୁ ଓହ୍ଲାଇସାରିଲେଣି ।

ସେଲିବ୍ରେଟିଙ୍କ ବିଜେପି ଟିକେଟ

  • ଆଜମଗଡ଼ରୁ ଦିନେଶଲାଲ ଯାଦବ ଉର୍ଫ ନିରୁହା
  • ତ୍ରିଶରରୁ ସୁରେଶ ଗୋପୀ
  • ବିରୁଧନଗରରୁ ରାଧିକ ଶରତକୁମାର
  • ହୁଗୁଳିରୁ ଲକେଟ ଚାର୍ଟାଜୀ
  • ମେଦିନିପୁରରୁ ଅଗ୍ନୀମିତ୍ର ପଲ
  • ଆସନସୋଲରୁ ପବନ ସିଂ

ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି ତୃଣମୂଳ କଂଗ୍ରେସ । ତାରକା ଓ ପୂବର୍ତନ କ୍ରିକେଟରୁ ବିଭିନ୍ନ ଆସନ ପାଇଁ ପ୍ରାର୍ଥୀ କରିଛି ଟିଏମସି । ତାଲିକାରେ ଅଛନ୍ତି ଅନେକ ଲୋକପ୍ରିୟ ଚେହେରା ।

ସେଲିବ୍ରେଟିଙ୍କୁ ଟିଏମସି ଟିକେଟ

  • ହୁଗୁଳିରୁ ରଚନା ବାର୍ନାଜୀ
  • ଆସନସୋଲରୁ ଶତ୍ରୁଘ୍ନ ସିହ୍ନା
  • ବହରମପୁର ପୂର୍ବତନ କ୍ରିକେଟର ୟୁସୁଫ ପଠାନ
  • ଦୁର୍ଗାପୁରରୁ କ୍ରୀତି ଆଜାଦ
  • ଯାଧବପୁରରୁ ସାୟୋନୀ ଘୋଷ
  • ବୀରଭୂମରୁ ଶତାଦ୍ଦୀ ରୟ

କଳେ ବଳେ କୌଶଳେ ନିର୍ବାଚନରେ ଜିତ୍ ପାଇଁ ଦଳଗୁଡିକ ବଳ ଲଗାଇଛନ୍ତି । ନିଜ ନିଜର ରଣନୀତି ସହ ୨୦୨୪ ମହାଲଢ଼େଇକୁ ଓହ୍ଲାଇବେ ରାଜନୈତିକ ଦଳ । ତେବେ କଳାକାର, କ୍ରିକେଟ କିମ୍ବା ଅନ୍ୟ ଲୋକପ୍ରିୟ ଚେହେରାଙ୍କ ପ୍ରାର୍ଥୀ କରିବା ଏକାଧିକ ଫାଇଦା ରହିଛି । ପ୍ରଚାର ଦମଦାର ହେବ, ଜନତାଙ୍କ ନିକଟରେ ପହଁଚି ସହଜ ମଧ୍ୟ ହେବ । ତେବେ ଦେଖିବାକୁ ଅପେକ୍ଷା ରହିଲା ଦଳଗୁଡିକ ତାରକାଙ୍କ ଉପରେ ବିଶ୍ୱାସ ରଖି ଟିକେଟ ଦେବା ନିଷ୍ପତି ଆଗାମୀ ଦିନରେ କେତେ ସଫଳ ହେଉଛି ।