ଆପାର୍ଟମେଂଟରେ ଲୁଟେରାଙ୍କ ଆତଙ୍କ: ସିସିଟିଭି ଦେଖିଲା ଚୋରଙ୍କ ମନ୍ତ୍ରପାଠ!

440

କନକ ବ୍ୟୁରୋ: ରାଜଧାନୀରେ ଲୁଟେରାଙ୍କ ଆତଙ୍କ । ପୁଣି ମାତିଲେ ଆପାର୍ଟମେଂଟ ଲୁଟେରା । ପାହାଳର ଏକ ଆପାର୍ଟମେଂଟରୁ ସିରିଜି ଲୁଟ୍ କରି କମିଶନରେଟ ପୋଲିସକୁ ଖୋଲା ଚାଲେଂଜ ଦେଇଛନ୍ତି ଲୁଟେରା । ଲୁଟର ଟିକନିକ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ମୁହଁରେ ମୁଖା ପିନ୍ଧିବା ସହ ଗାମୁଛା ପିନ୍ଧି ଲୁଟ୍ କରିଛନ୍ତି ଅଭିଯୁକ୍ତ । ଥାନାରେ ଏତଲା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।

ରାଜଧାନୀରେ ପୁଣି ମାତିଲେ ଆପାର୍ଟମେଂଟ ତଡା ଲୁଟେରା । ଏଥର ଟାର୍ଗେଟରେ ମେଟ୍ରୋ ସେଟଲାଇଟ୍ ସିଟି । ସିସିଟିଭିରେ ଦେଖାଯାଇଛି ଏହି ଲୁଟେରାଙ୍କ ଲୁଟ ବେଳର କାଣ୍ଡ କାରନାମା ।  ଜଣକ ପରେ ଜଣେ ଧାଡି ଧାଡି ହୋଇ ଆପାର୍ଟମେଂଟର ଫ୍ଲାଟ ସମୁଖରେ ପହଂଚୁଛନ୍ତି । ଏମାନେ ଲୁଟ ବେଳେ, ଧରା ପଡିଯିବାର ସମ୍ଭାବନା ଥିବାରୁ ଦେହରେ ତେଲ ଲଗାଇବା ସହ ଲୁଙ୍ଗିକୁ କଛାମାରି ପିନ୍ଧୁଛନ୍ତି । ସେଥିପାଇଁ ଏମାନଙ୍କୁ କଛାମରା ଗ୍ୟାଙ୍ଗ ବୋଲି କୁହାଯାଉଛି । ଏମାନଙ୍କୁ ସର୍ଦାର କେବଳ ଟିସାର୍ଟ ପିନ୍ଧିଥିବା ନଜରକୁ ଆସିଛି । ବାକି ସମସ୍ତେ ଲୁଙ୍ଗିକୁ କଛାମାରି ପିନ୍ଧିଛନ୍ତି । ଅତି କୌଶଳର ସହିତ ଘରର ଗ୍ରିଲ ଏବଂ କବାଟକୁ ତାଡି ଘର ଭିତରେ ପଶୁଛନ୍ତି । ଆଉ ଲୁଟ ପୁର୍ବରୁ ଏବଂ ପରେ, ଘର ସମ୍ମୁଖରେ ପୁଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି । ଏପରିକି ଲୁଟ ବେଳେ ଜଣେ ଚୋର ଦୁଆର ମୁହଁରେ ବସି ମନ୍ତ୍ରପାଠ କରୁଥିବା ମଧ୍ୟ ଅନୁମାନ କରାଯାଉଛି । ତେବେ ୩ଟି ଫ୍ଲାଟରୁ ୨୫ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନାଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି ।

ସୁରକ୍ଷିତ ରହିବା ପାଇଁ ଲୋକମାନେ ଆପାର୍ଟମେଂଟରେ ଘର କିଣି ରହୁଛନ୍ତି । ଆଉ ପ୍ରତି ମାସରେ ସୋସାଇଟି ଚାର୍ଜ ବାବଦକୁ ହଜାର ହଜାର ଟଙ୍କା ଗଣି ଦେଉଛନ୍ତି । କିନ୍ତୁ ବିଲଡରଙ୍କ ମନମାନି ଯୋଗୁଁ ଅନ୍ତେବେସୀ ନିଜ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେପଟେ ଘଟଣା ସ୍ଥଳରେ ଡିସିପି ପହଂଚି ସାଇଟିଂଫିକ ଟିମ ସହ ତଦନ୍ତ ଆରମ୍ଭ କରିଛନ୍ତି । ଏହି କଛାମରା ଗ୍ୟାଙ୍ଗ କେଉଁଠୁ ଆସିଛନ୍ତି ଏବଂ ଭୁବନେଶ୍ୱରରେ କେଉଁଠି ରହି ଅପରେଟ କରୁଛନ୍ତି ସେନେଇ ଖୋଳତାଡ ଆରମ୍ଭ ହୋଇଛି । ତେବେ ଏହି ମେଟ୍ରୋ ସେଟଲାଇଟ ସିଟିର ପଛପଟେ ପାଚେରୀ ନଥିବାରୁ ଲୁଟ ହୋଇଥିବା ତଦନ୍ତ ବେଳେ ପୁଲିସ ଜଣିବାକୁ ପାଇଛି ।

ଚୋର ମାନେ ଆପାର୍ଟମେଂଟର କଡା ସୁରକ୍ଷା ବଳୟକୁ କେମିତି ଭେଦ କରୁଛନ୍ତି?
– ଚୋର କେମିତି ଜାଣୁଛି କେଉଁ ଘରେ ତାଲା?
– ଆପାର୍ଟମେଂଟବାସୀଙ୍କ ସୁରକ୍ଷା ଦାୟିତ୍ୱ କାହାର?
– କେବେ ଧରା ହେବେ ଏହି କଛାମରା ଗ୍ୟାଙ୍ଗ?