ପ୍ରତିବାଦ ବେଳେ ଫଟୋସୁଟ୍ । ଆର୍ଥିକ ସଙ୍କଟ ଭିତରେ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ ଯୁବତୀଙ୍କ ଫଟୋସୁଟକୁ ନେଇ ସବୁଠି ଚର୍ଚ୍ଚା । 

111

କନକ ବ୍ୟୁରୋ: ପଡୋଶୀ ଶ୍ରୀଲଙ୍କାର ସ୍ଥିତି ବିଷୟରେ ଆପଣ ଭଲ ଭାବେ ଜାଣିଥିବେ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ମାଳଦ୍ୱୀପ ଚାଲିଯାଇଛନ୍ତି । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଦେଶରେ ଜରୁରୀକାଳୀନ ସ୍ଥିତିର ଘୋଷଣା କରିଛନ୍ତି । ଏହାପରେ ବି ଲୋକମାନେ ରାଜରାସ୍ତାକୁ ଓହ୍ଲାଇବା ସହିତ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ରାଷ୍ଟ୍ରପତି ଭବନ ସହିତ ପ୍ରଧାନମନ୍ତ୍ରୀଙ୍କ ଆବାସ ମଧ୍ୟ ଲୋକଙ୍କ କବଜାକୁ ଚାଲିଯାଇଛି । ଆଉ ଏହାରି ଭିତରେ ଗୋଟିଏ ଝିଅର ପୋଷ୍ଟ ଏବେ ସବୁଠି ଚର୍ଚ୍ଚା ସୃଷ୍ଟି କରିଛି ।

ମଦୁହାଂସୀ ହସ୍ତିଥାରା ନାମକ ଜଣେ ଯୁବତୀ ଫେସବୁକରେ ତାଙ୍କର କିଛି ଫଟୋ ଛାଡିଥିଲେ । ହେଲେ ଏହି ଫଟୋଗୁଡିକ ଉଠିଥିଲା ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନରେ । ଯେତେବେଳେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା, ବିକ୍ଷୋକ୍ଷକାରୀମାନେ ରାଷ୍ଟ୍ରପତି ଭବନକୁ କବଜା କରୁଥିଲେ, ସେତେବେଳେ ଏହି ଯୁବତୀ ଜଣକ ସେହି ରାଷ୍ଟ୍ରପତି ଭବନରେ ଫଟୋସୁଟ୍ କରୁଥିଲେ । ଯୁବତୀ ଜଣକ ୧୨ ଜୁଲାଇରେ ନିଜ ସୋସିଆଲ୍ ମିଡିଆ ସାଇଟରେ ଏହି ଫଟୋ ସେୟାର କରିବା ପରେ, ଅନେକ ଲୋକ ଏହି ପୋଷ୍ଟକୁ ନେଇ ଚର୍ଚ୍ଚା କରୁଛନ୍ତି ।

ଫେସବୁକରେ ଏହି ଯୁବତୀ ଜଣକ ଏକାଥରକେ ୨୬ଟି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ରାଷ୍ଟ୍ରପତି ଭବନରେ ଭିନ୍ନ ଭିନ୍ନ ଢଙ୍ଗରେ ଫଟୋସୁଟ୍ କରୁଥିବା ଦେଖିବାକୁ ମିଳିଛି । ସୋସିଆଲ୍ ମିଡିଆରେ ଏହି ଫଟୋ ସେୟାର କରିବା ପରେ ୟୁଜର୍ସମାନେ ଏଥିରେ କମେଣ୍ଟ ଦେବାରେ ଲାଗିଛନ୍ତି । ସାରା ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସମୟରେ ଯୁବତୀ ଜଣକଙ୍କର ଏପରି ପୋଷ୍ଟକୁ ଅନେକ ଲୋକ ନିନ୍ଦା କରିଛନ୍ତି ।