ଅର୍ଥମନ୍ତ୍ରୀଙ୍କ ଜିଏସଟି ଛାଟ, ସୋମବାରରୁ ଖାଦ୍ୟ ପାନୀୟ ସହ ଚିକିତ୍ସା ଖର୍ଚ୍ଚ ବି ହେବ ମହଙ୍ଗା

1,116

କନକ ବ୍ୟୁରୋ : ଗୋଟିଏ ପଟେ କରୋନା ମହାମାରୀ ପାଇଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ଅସହଜ ହୋଇପଡିଥିବା ବେଳେ ଠିକ୍ ସେତିକି ବେଳେ ସରକାରଙ୍କ ଟ୍ୟାକ୍ସ ଛାଟ ପୁଣି ଲୋକଙ୍କ ମେରୁଦଣ୍ଡ ଉପରେ ସିଧା ସଳଖ ପ୍ରହାର କରିବାକୁ ଯାଉଛି । ପ୍ରଥମେ ଇନ୍ଧନର ଅହେତୁକ ମୂଲ୍ୟ ବୃଦ୍ଧି ପରେ ଖାଦ୍ୟା ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଥିବା ବେଳେ ଏବେ ଅର୍ଥମନ୍ତ୍ରୀଙ୍କ ଜିଏସଟି ଆଦାୟ କରିବାର ନିଶା ସାଧାରଣ ଲୋକଙ୍କୁ ଉପାଶରେ ରଖାଇବ ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ମୁତାବକ ଚଳିତମାସ ୧୮ ତାରିଖ ଠାରୁ ଦେଶରେ ଖାଦ୍ୟ ପାନୀୟ ଠାରୁ ମେଡିକାଲ ଚିକିତ୍ସା ପର୍ଯ୍ୟନ୍ତ ପୁଣି ମହଙ୍ଗା ହେବାକୁ ଯାଉଛି । ଏହା ସିଧା ସଳଖ ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ । ଅର୍ଥମନ୍ତ୍ରୀଙ୍କ ଘୋଷଣା ମୁତାବକ ସୋମବାର ଠାରୁ ଦହି, ଲସି ଠାରୁ ଆରମ୍ଭ କରି ମେଡିକାଲ ଚିକିିତ୍ସା ପର୍ଯ୍ୟନ୍ତ ଆପଣଙ୍କୁ ଅଧିକ ଦେୟ ଦେବାକୁ ପଡିବ । କିଛି ଅତ୍ୟାବଶକୀୟ ସାମଗ୍ରୀ ଉପରେ ସରକାର ଦ୍ରର୍ବ୍ୟ ସେବାକର ଲଗାଇଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି କାଉଁସିଲ ବୈଠକରେ ପ୍ରଥମଥର ପାଇଁ ଦୁଗ୍ଧ ଜାତୀୟ ଉତ୍ପାଦକୁ ଜିଏସଟି ପରିସରଭୂକ୍ତ କରାଯାଇଛି । ଏହି କ୍ରମରେ ଏବେ ଟେଟ୍ରା ପ୍ୟାକ ହୋଇଥିବା ଦହି, ଲସି, ବଟର ମିଲ୍କ ଉପରେ ଆପଣଙ୍କୁ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ । ସେହିଭଳି ବ୍ଲେଡ, ପେପର କଇଁଚି, ପେନସିଲ, ରବର, ଚାମଚ, ଓ କେକ୍ ସର୍ଭିସ ଉପରେ ଥିବା ଜିଏସଟି ଦର ୫ ପ୍ରତିଶତରୁ ୧୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ସେହିଭଳି ଆଇସିୟୁ ବାହାରେ ଯଦି ଆପଣ ଚିକିତ୍ସିତ ହେଉଛନ୍ତି ଓ ଦୈନିକ ଆପଣଙ୍କୁ ୫ ହଜାର ଟଙ୍କା ଦେବାକୁ ପଡୁଛି ତେବେ ଏହା ବାବଦରେ ବି ଆପଣଙ୍କୁ ଏବେ ୫ ପ୍ରତିଶତ ଜିଏସଟି ଆଦାୟ କରିବେ ସରକାର । ପ୍ରଥମେ ଏହା ଜିଏସଟି ପରିସରଭୂକ୍ତ ନଥିଲା । ସେହିଭଳି ଏଲଇଡି ଲାଇଟ ଓ ଲ୍ୟାମ୍ପର ମୂଲ୍ୟ ମଧ୍ୟ ବୃଦ୍ଧି ହେବାକୁ ଯାଉଛି । ପ୍ରଥମେ ଏସବୁ ସାମଗ୍ରୀ ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁଥିବା ବେଳେ ଏବେ ଏହା ଉପରେ ସରକାର ୧୮ ପ୍ରତିଶତ ଜିଏସଟି ଆଦାୟ କରିବେ ।

କେବଳ ଏତିକିରେ ସରକାର ସନ୍ତୁଷ୍ଟ ହୋଇ ନାହାଁନ୍ତି । ସାଧାରଣ ଲୋକ ଏବେ ବ୍ୟାଙ୍କ କାରବାରରେ ବି ଶୋଷଣର ଶିକାର ହେବାକୁ ଯାଉଛନ୍ତି । ଏବେ ଯଦି କେହି ବ୍ୟାଙ୍କ ପାସବୁକ ଏଗନେଷ୍ଟରେ ଯଦି ଆପଣ ଚେକ୍ ବୁକ୍ ଆଣିବାକୁ ଚାହାଁନ୍ତି ପ୍ରଥମେ ବ୍ୟାଙ୍କ ତ ସେ ବାବଦରେ କିଛି ଅର୍ଥ ଆପଣଙ୍କ ଠାରୁ ଆଦାୟ କରିବ ଏହାପରେ ସରକାର ବି ଚେକ୍ ବୁକ୍ ଇସ୍ୟୁ ଉପରେ ଆପଣଙ୍କ ଠାରୁ ୧୮ ପ୍ରତିଶତ ଜିଏସଟି ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ପ୍ରଥମେ ସରକାର ଦାମୀ ହୋଟେଲରେ ରହିଲେ ଆପଣଙ୍କ ଠାରୁ ଜିଏସଟି ଆଦାୟ କରୁଥିଲେ । ହେଲେ ଚଳିତ ଜିଏସଟି କାଉଁସିଲ ବୈଠକର ନିଷ୍ପତ୍ତି ମୁତାବକ ଏବେ ଯଦି ଆପଣ ୧୦୦୦ ଟଙ୍କା ଭଡା ଦେଇ କୌଣସି ହୋଟେଲର ରୁମ ବୁକ କରୁଛନ୍ତି ତେବେ ଆପଣଙ୍କୁ ୧୨ ପ୍ରତିଶତ ଜିଏସଟି ଦେବାକୁ ପଡିବ । ଅର୍ଥାତ ହୋଟେଲ ବାଲା ଆପଣଙ୍କ ଠାରୁ ୧ ହଜାର ଟଙ୍କା ଭଡା ସ୍ଥାନରେ ୧୧୨୦ ଟଙ୍କା ଆଦାୟ କରିବ ।

ସେହିଭଳି ଆପଣ ଦୈନିକ ଖାଦ୍ୟରେ ସାମିଲ କରୁଥିବା ପ୍ୟାକେଟ ଦହି, ଲସି ଓ ଛେନା ଉପରେ ମଧ୍ୟ ସରକାରଙ୍କ ନଜର ପଡିଛି । ପ୍ରଥମେ ଏହା ଜିଏସଟି ପରିସରଭୂକ୍ତ ନଥିଲା । ହେଲେ ଏବେ ସରକାର ଏହା ଉପରେ ଜିଏସଟି ଲଗାଇବାକୁ ଯାଉଥିବା ବେଳେ ଏସବୁ ସାମଗ୍ରୀ ବିକ୍ରି କରୁଥିବା କମ୍ପାନୀମାନେ ଦରବୃଦ୍ଧି କରିବା ନିଶ୍ଚିନ୍ତ ହୋଇଛି ।