ସିଙ୍ଗାପୁରରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ: ନେଇପାରନ୍ତି ରାଜନୈତିକ ଆଶ୍ରୟ

72

କନକ ବ୍ୟୁରୋ: ରାଜଧାନୀର ରାଜରାସ୍ତାରେ ଗଡ଼ିଚାଲିଛି ଟ୍ୟାଙ୍କ  । ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଦେଶ ଛାଡ଼ି ପଳାଇଯାଇଥିବା ବେଳେ କଲମ୍ବୋରେ ଅସ୍ଥିର ସ୍ଥିତି  । ହଜାର ହଜାର ବିକ୍ଷୋଭକାରୀ କବଜାରେ ଏବେ ରାଷ୍ଟ୍ରପତି ଭବନ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ସଂସଦ ଭବନ  । ଏଭଳି ସ୍ଥିତିରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସେନା କଡ଼ା ପଦକ୍ଷେପ ନେବା ଆରମ୍ଭ କରିଛି  । ସଂସଦ ଭବନ ଓ ରାଷ୍ଟ୍ରପତି ଭବନ ଆଗରେ ଟ୍ୟାଙ୍କ ମୁତୟନ କରିଛି ସେନା  । ପ୍ରଧାନମନ୍ତ୍ରୀ ବାସଭବନରେ ବି ସେନା ମୁତୟନ ରହିଛି । ଏହାସହ ସୈନିକମାନେ କଲମ୍ବୋରେ ରାଜରାସ୍ତାରେ ପହରା ଦେଉଛନ୍ତି  ।

 ଏପଟେ ଦେଶରେ ଆର୍ଥିକ ଓ ରାଜନୈତିକ ସଙ୍କଟ ଭିତରେ ଦେଶଛାଡ଼ି ପଳାଇ ଯାଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେକ୍ଷ  । ପ୍ରଥମେ ମାଳଦୀପ, ସେଠାରୁ ସାଊଦିଆରବରେ ପହଂଚିବା ପରେ ସେଠାରୁ ସିଙ୍ଗାପୁରରେ ପହଂଚିଛନ୍ତି । କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ଗୋଟାବାୟା ସିଙ୍ଗାପୁରରେ ରାଜନୈତିକ ଶରଣ ନେଇପାରନ୍ତି  । ଅନ୍ୟପକ୍ଷରେ ଗୋଟାବାୟାଙ୍କ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ମଧ୍ୟ ଏବେ ଫେରାର ଅଛନ୍ତି  ।

ବୁଧବାର ଶ୍ରୀଲଙ୍କାର ସବୁ ରାଜନୈତିକ ଦଳ ଏକାଠି ବୈଠକ କରିଥିଲେ  । ଏଥିରେ ଦାବି କରାଯାଇଛି ଯେ, କାର୍ଯ୍ୟକାରୀ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ନିଜ ପଦ ଛାଡ଼ନ୍ତୁ  । ଏହାସହ ଶ୍ରୀଲଙ୍କା ସଂସଦର ବାଚସ୍ପତି ୟାପ୍ପା ଆବେୱର୍ଦନା ପରବର୍ତୀ କାମଚଳା ରାଷ୍ଟ୍ରପତି ହେବାକୁ ଦାବି କରାଯାଇଛି  ।

 ପ୍ରାୟ ୨ କୋଟି ୨୦ ଲକ୍ଷ ଜନସଂଖ୍ୟା ଥିବା ଶ୍ରୀଲଙ୍କାରେ ଏବେ ସାଂଘାତିକ ଆର୍ଥିକ ସଙ୍କଟ ଦେଖାଦେଇଛି  । ଦେଶରେ ଖାଦ୍ୟପଦାର୍ଥ, ଔଷଧ ସହ ଇନ୍ଧନର ଘୋର ଅଭାବ  । ଏହାସହ ରାଜନୈତିକ ଅସ୍ଥିରତା ସ୍ଥିତିକୁ ଆହୁରି ବିଗାଡ଼ିବାରେ ଲାଗିଛି  ।