ରାଜ୍ୟରେ ଉପରମୁହାଁ କରୋନା ମିଟର: କେନ୍ଦ୍ରରେ ନିଷ୍ପତି ପରେ କାଲିଠୁ ରାଜ୍ୟରେ ବୁଷ୍ଟର ଡୋଜ୍ ଦେବା ପାଇଁ ପ୍ରସ୍ତୁତି

179

କନକ ବ୍ୟୁରୋ: ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ଆସନ୍ତାକାଲି ଅର୍ଥାତ ଜୁଲାଇ ୧୫ ଠାରୁ ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୮ରୁ ୫୯ ବର୍ଷର ଲୋକମାନଙ୍କୁ ମାଗଣା ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ୭୫ ଦିନ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ସମସ୍ତେ ଟିକାକରଣରେ ଭାଗ ନେବା ପାଇଁ ଅନୁରୋଧ କରିଛନ୍ତି ନିର୍ଦ୍ଦେଶକ ।

ଟିକାକରଣ ପାଇଁ ପୂର୍ବରୁ ଜନସାଧାରଣଙ୍କର ଆଗ୍ରହ କମିଥିବା ବେଳେ, ସଂକ୍ରମଣର ଚେନ୍, ବୁଷ୍ଟର ଡୋଜ ଦ୍ୱାରା ହି ଭାଙ୍ଗିପାରିବ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ । ଦ୍ୱିତୀୟ ଡୋଜ ନେବାର ୬ମାସ ପରେ ବୁଷ୍ଟର ଡୋଜ ନେଇପାରିବେ । କୋୱିନ ଆପରେ ରେଜିଷ୍ଟ୍ରେସନ କରି ଟିକା ନେଇ ପାରିବେ । କିମ୍ବା ସିଧାସଳଖ ଟିକାକରଣ କେନ୍ଦ୍ରରେ ମଧ୍ୟ ଟିକା ନେଇପାରିବେ ।

ଗତ କିଛି ଦିନ ଧରି କରୋନା ସଂକ୍ରମଣ ୫ଶହ ଉପରେ ରହିଥିବା ବେଳେ ଗତକାଲି ସଂକ୍ରମଣ ୭ ଶହ ଉପରକୁ ଉଠିଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ଏହି ସଂଖ୍ୟା ୮ ଶହ ପାର କରିଛି । ନଜର ପକାଇବା ଗତ ୫ ଦିନ ମଧ୍ୟରେ କରୋନା ସଂକ୍ରମିତ ସଂଖ୍ୟା ଉପରେ ।

ଓଡ଼ିଶା କରୋନା ମିଟର
ତାରିଖ             ଆକ୍ରାନ୍ତ
ଜୁଲାଇ ୧୪       ୮୦୪
ଜୁଲାଇ ୧୩       ୭୪୩
ଜୁଲାଇ ୧୨       ୫୦୯
ଜୁଲାଇ ୧୧       ୫୭୨
ଜୁଲାଇ ୧୦       ୫୭୬

ରାଜ୍ୟରେ ଚିନ୍ତା ବଢ଼ାଉଛି ଖୋର୍ଦ୍ଧା, କଟକର ସଂକ୍ରମଣ । ଖୋର୍ଦ୍ଧାରୁ ୩୦୭ ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ କଟକରୁ ୧୧୯, ସୁନ୍ଦରଗଡ଼ରୁ ୮୦ ଜଣ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ଓ କଟକରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବିଏମସି ଓ ସିଏମସି ତରଫରୁ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । କଟକଣା ନମାନିଲେ ଫାଇନ ଆଦାୟ କରାଯିବ ବୋଲି କୁହାଯାଇଛି ।